ସମବାୟ ସମିତି କାର୍ଯ୍ୟାଳୟରେ ଭଙ୍ଗାରୁଜା, ଅଫିସ ଭାଙ୍ଗିବା ସହ ଗାଳି ଗୁଲଜ କରି ହଙ୍ଗାମା କଲେ ଲୋକେ

ବାଙ୍କୀ (କେନ୍ୟୁଜ) : ସରକାରୀ କାର୍ଯ୍ୟାଳୟରେ ପଶି ହୋହାଲ୍ଲା। ବାଙ୍କୀ ଥାନା ଅନ୍ତର୍ଗତ ଢ଼ଂସର ସେବା ସମବାୟ ସମିତିରେ ଧାନମଣ୍ଡି ସମସ୍ୟା ଓ ନିଲମ୍ବିତ ସମିତି ସମ୍ପାଦକଙ୍କୁ ଚାକିରିରୁ ବହିଷ୍କାର କାହିଁକି କରାଯାଇ ନାହିଁ ବୋଲି କହି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। କେବଳ ଏତିକି ନୁହେଁ କାର୍ଯ୍ୟାଳୟରେ ଭିତରେ ପଶି ଭୟଭୀତ କରାଇ ଉପସହକାରୀ ସମବାୟ ଅଧିକାରୀ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ ମଧ୍ୟ କରାଯାଇଛି।
କାର୍ଯ୍ୟ ସମ୍ପାଦନ କରୁଥିବା ଏଆରସିଏସ ଦେବୀ ପ୍ରସନ୍ନ ସ୍ବାଇଁଙ୍କୁ ଧମକ ଚମକ ଦେଇ ଢ଼ଂସର ଗ୍ରାମର ପୁର୍ବତନ ସରପଞ୍ଚ ଓ ଜଣେ ସହଯୋଗୀ ମିଶି ପ୍ରବଳ ଗାଳିଗୁଲଜ କରି ଟେବୁଲ ଚେୟାର ଫୋପାଡ଼ି କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରି ଅଫିସ ଭିତରେ ଘଂଟାଏ କାଳ ହଙ୍ଗାମା କରିଥିଲେ। ଏପରିକି ଥାନାରେ ଅଭିଯୋଗ କଲେ ଦୁଇଶହ ଲୋକ ଆଣି ଅଫିସ ଭାଙ୍ଗି ଗୁଣ୍ଡ କରିଦେବେ ବୋଲି ଧମକ ଦେଇଥିବାର ଅଭିଯୋଗ କରି ବାଙ୍କୀ ଏଆରସିଏସ ଦେବୀ ପ୍ରସନ ସ୍ବାଇଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ବାଙ୍କୀ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଭୟରେ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟାଳୟ ସମ୍ମୁଖରେ ବସିରହିଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି କର୍ମଚାରୀ। ଯଦି ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ କଲମଛାଡ଼ ଆନ୍ଦୋଳନ କରିବେ ବୋଲି କହିଛନ୍ତି ବାଙ୍କୀ ସମବାୟ ବିଭାଗର ସହକାରୀ ନିବନ୍ଧକ। ତେବେ ବର୍ତ୍ତମାନ କାର୍ଯ୍ୟାଳୟରେ ଭୟର ବାତାବରଣ ଦେଖାଦେଇଛି।