ଛାତ୍ରୀ ନିଖୋଜ ମାମଲା: ଭିଡିଓ ଭାଇରାଲ୍‌ କଲେ ସୁଭାଷିନୀ ; କହିଲେ ମୁଁ ନିଖୋଜ ନୁହେଁ ସ୍ୱଇଚ୍ଛାରେ ପ୍ରେମିକଙ୍କ ସହ ପଳାଇ ଆସିଛି

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଘଟଣାକୁ ନେଇ ଛାଡି଼ଆଡେ ଚର୍ଚା ହେଉଥିଲା। ନିଖୋଜ ଛାତ୍ରୀ ହେଲେ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ସୁଭାଷିନୀ ମଲ୍ଲିକ। ଶୁକ୍ରବାରଠୁ ସେ ନିଖୋଜ ଥିବା ନେଇ ତାଙ୍କ ବାପା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ବର୍ତ୍ତମାନ ଏହି ମାମଲାର ମୋଡ଼ ବଦଳାଇଛି। ପୋଲିସ ତାଙ୍କୁ ଖୋଜି ପାଇବା ପୂର୍ବରୁ ନିଜେ ସୁଭାଷିନୀ ଏକ ଭିଡିଓ ଭାଇରାଲ୍ କରି ତାଙ୍କ ନିଖୋଜ ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି।

ସୁଭାଷିନୀ ଜାରି କରିଥିବା ଭିଡ଼ିଓରେ କହିଛନ୍ତି, : ମୁଁ ସୁଭାଷିନୀ ମଲ୍ଲିକ କହୁଛି… ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ। ଜୁଲାଇ ୨ ତାରିଖରେ ନିଜ ଇଚ୍ଛାରେ ହଷ୍ଟେଲ୍‌ରୁ ପଳାଇ ଯାଇଥିଲି…। ଦୀର୍ଘ ଦିନର ନୀରବତା ପରେ ଆଜି ଭିଡିଓ ମାଧ୍ୟମରେ ସବୁ କଥା ବଖାଣିଛନ୍ତି। ହଷ୍ଟେଲ୍‌ରୁ ପଳାଇ ଆସିବା ପରେ ମୋତେ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶିଆଲ ମିଡିଆରେ ନାନା କଥା ପ୍ରଚାର ହେଉଛି। ମୁଁ ସେହି ଦ୍ୱନ୍ଦ୍ୱ ଦୂର କରିବାକୁ ଚାହୁଁଛି। ମୁଁ ଜଣେ ପୁଅଙ୍କୁ ଭଲ ପାଉଛି। ଆମେ ଦୁହେଁ ପରସ୍ପରକୁ ବହୁଦିନରୁ ଭଲ ପାଉଛୁ। ଘର ଲୋକ ମଧ୍ୟ ଜାଣିଛନ୍ତି। କିନ୍ତୁ ରାଜି ହେଲେନି ବୋଲି ସୁଭାଷିନୀ କହିଛନ୍ତି।

ଏଥିସହ ସେ କଲେଜ ଅଧ୍ୟକ୍ଷ, ଛାତ୍ରୀନିବାସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିପାଇଁ କ୍ଷମା ମାଗିଛନ୍ତି। ପରିସ୍ଥିତିରେ ପଡ଼ି ସେ ଏଭଳି ପଦକ୍ଷେପ ନେଲେ ଓ ଅଯଥାରେ ତାଙ୍କ ଦୋଷ ପାଇଁ କଲେଜ କର୍ତ୍ତୃପକ୍ଷ ନିନ୍ଦିତ ହୋଇଥିବାରୁ ସେ କ୍ଷମା ମାଗୁଛନ୍ତି ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି। ସେହିଭଳି ଏସବୁ ଜାଣିବା ପରେ ଆଗକୁ ଆଉ କିଛି ପଦକ୍ଷେପ ନ ନେବାକୁ ସେ ତାଙ୍କ ବାପାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

ସେପଟେ ସୁଭାଷିନୀଙ୍କୁ ତାଙ୍କ ମାମୁ ହଷ୍ଟେଲରୁ ନେଇଥିବା ରେଜିଷ୍ଟ୍ରରରେ ଉଲ୍ଲେଖ ରହିଥିଲା। ତେବେ ସୁଭାଷିନୀ ଜାଣିଶୁଣି ନିଜ ମାମୁଙ୍କ ନାଁରେ ନକଲି ଦସ୍ତଖତ କରି କ୍ଲାସ କରିବାକୁ ଯିବା ପରେ ଆଉ ହଷ୍ଟେଲ ଫେରିନଥିବା ହଷ୍ଟେଲ କର୍ତ୍ତୃପକ୍ଷ କହିଥିଲେ।ଏହା ପରେ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା।

ଏହି ଭିଡିଓ ଭାଇରାଲ୍ ହେବା ପରେ ବି ପୋଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି। ଭିଡିଓ ପଛରେ ଅନ୍ୟ କିଛି କାରଣ ଥିବା ସନ୍ଦେହ କରି ପୁଲିସ ସେମାନଙ୍କୁ ଖୋଜିବା ଚାଲୁରଖିଛି। ତେଣୁ ସୁଭାଷିନୀଙ୍କ ମୁହଁରୁ ନ ଶୁଣିବା ଯାଏ ବା ତାଙ୍କ ବୟାନ ରେକର୍ଡ ନ କରିବା ପର୍ଯ୍ୟନ୍ତ ଏହି ମାମଲାର ଗମ୍ଭୀରତା ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.