ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା, ଦକ୍ଷିଣମୋଡ ପରେ ନାକଚଣା ଦ୍ୱାରରେ ଲାଗିଛି ତିନି ରଥ

ପୁରୀ(କେନ୍ୟୁଜ୍): ନାକଚଣା ଦ୍ୱାରରେ ତିନି ରଥ। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା । ଶ୍ରୀମନ୍ଦିର ଫେରିବେ ନୀଳାଦ୍ରିନାଥ। ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପର ଦିନ ରଥର ଦକ୍ଷିଣମୋଡ କରାଯାଇଛି । ନାକଚଣା ଦ୍ୱାରରେ ଲାଗିଛି ତିନି ରଥ । ଆସନ୍ତା ୯ ତାରିଖରେ ବାହୁଡାଯାତ୍ରା। ଆରମ୍ଭ ହୋଇଛି ପ୍ରସ୍ତୁତି।

ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା। ବିଜେ କାହାଳୀ ବାଜିବା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଳଭଦ୍ରଙ୍କ ରଥ ଦକ୍ଷିଣମୋଡ଼ ହୋଇଥିଲା। ଗତବର୍ଷ କେବଳ ସେବାୟତମାନେ ଦକ୍ଷିଣମୋଡ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିଛନ୍ତି।

ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରେ ଆଡ଼ପ ମଣ୍ଡପରେ ଅପରାହ୍ନ ୪ ଟା ଯାଏ ଭକ୍ତମାନେ ସଂଧ୍ୟା ଦର୍ଶନ କରି ପାରିବେ। ୯ ତାରିଖ ବାହୁଡା଼ ପାଇଁ ଶୀଘ୍ର ସମସ୍ଥ ନୀତିକାନ୍ତି କରାଯିବ। ଘୋଷଯାତ୍ରା ପରି ବାହୁଡା଼ଯାତ୍ରାରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଜିଲ୍ଲପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ହୋଇଛି। ଏହାସହ ୧୦ ତାରିଖ ସୁନାବେଶରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ରଥରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ। ରାତି ୧ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.