ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ହେବ ଅନ୍ତିମ ସଂସ୍କାର, ଜନ୍ମମାଟି ତିର୍ତ୍ତୋଲକୁ ଫେରିବ ମରଶରୀର

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ଅନ୍ତିମ ସଂସ୍କାର ହେବ । ତାଙ୍କ ଜନ୍ମମାଟି ଜଗତସିଂହପୁରରେ ହେବ ଶେଷକୃତ୍ୟ । ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବହୁ ମନ୍ତ୍ରୀ ଓ ବରିଷ୍ଠ ନେତା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ତାଙ୍କ ମରଶରୀରକୁ ବିଧାନସଭା ପରିସରକୁ ଅଣାଯାଇଛି । ସେଠାରେ ଶେଷ ଦର୍ଶନ କରିବା ପରେ ପୁଣି ଫେରିବ ତାଙ୍କ ଜନ୍ମମାଟି ତିର୍ତ୍ତୋଲକୁ ।

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୬୬ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ବିଷ୍ଣୁ ଦାସ । ବିଷ୍ଣୁଙ୍କ ପରଲୋକରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଷ୍ଣୁ ଦାସ ।

୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ପାଞ୍ଚ ଥର ଜଗତସିଂହପୁର ଆସନରୁ ବିଧାୟକ ଥିଲେ । ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟରେ ବିଧାନସଭା ଆସିିଥିଲେ । ଆଉ ଚାରି ଥର ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ ବିଷ୍ଣୁ । ୨୦୧୪ ନିର୍ବାଚନରେ ସେ ହାରି ଯାଇଥିଲେ । ଏହାପରେ ୨୦୧୬ରେ ତାଙ୍କୁ ରାଜ୍ୟସଭା ପଠାଇଥିଲା ବିଜେଡି । ୨୦୧୭ ମାର୍ଚ୍ଚରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର ।

ଏହାପରେ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିଲେ ବିଷ୍ଣୁ ଦାସ । ଚଳିତ ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ଆସନରୁ ଲଢ଼ି ବିଜୟୀ ହୋଇଥିଲେ । ୨୦୦୬ରେ ବର୍ଷେ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ବିଷ୍ଣୁ ଦାସ । ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ମଧ୍ୟ ରହିଥିଲେ ବିଷ୍ଣୁ । ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଂଗଠକକୁ ହରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.