କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଳଧର ଜେନାଙ୍କ ଆବେଦନର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ଏହି କ୍ଷତିପୂରଣ ରାଶି ଆବେଦନକାରୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ନବୋଦୟ ବିଦ୍ୟାଳୟ ସମିତି ପ୍ରଦାନ କରିବେ ବୋଲି କହିଛନ୍ତି ।

ଆବେଦନକାରୀଙ୍କ ପୁଅ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ କୋଣାର୍କ ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ରହି ସେ ସପ୍ତମ ଶ୍ରେଣୀରେ ପଢୁଥିଲେ । ୨୦୧୧ ନଭେମ୍ବର ୨ ତାରିଖ ଅପରାହ୍ନ ୫ଟା ବେଳେ କୋଣାର୍କ ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ଥିବା ସମୟରେ ସମ୍ପୃକ୍ତ ଛାତ୍ର ଅନ୍ୟ ଅନ୍ତେବାସୀଙ୍କ ସହ କ୍ରିକେଟ ଖେଳୁଥିଲେ। ବ୍ୟାଟିଂ କରୁଥିବା ଜଣେ ଛାତ୍ରଙ୍କ ହାତରୁ ବ୍ୟାଟ ଖସି ସମ୍ପୃକ୍ତ ଛାତ୍ରଙ୍କ ମୁହଁରେ ବାଜିଥିଲା। ତୁରନ୍ତ ଆହତ ଛାତ୍ରଙ୍କୁ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। କିନ୍ତୁ ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ଚିକିତ୍ସା ପାଇଁ ଭୁବନେଶ୍ଵରର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୩ ତାରିଖରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।

ମୃତ ଛାତ୍ରଙ୍କ ପରିବାରକୁ ମାତ୍ର ୫୦ ହଜାର କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ। କିନ୍ତୁ ପୀଡିତ ପରିବାର ଏହି କ୍ଷତିପୂରଣ ରାଶି ଗ୍ରହଣ କରିନଥିଲେ। ଉପଯୁକ୍ତ ଚିକିତ୍ସାର ଅଭାବ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ମୃତ ଛାତ୍ରଙ୍କ ବାପା ୨୦୧୨ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.