Below header

ଆଜି ଲଘୁଚାପ, ଆସନ୍ତା ୨୪ରେ ବାତ୍ୟା! ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରରେ ହେବ ବାତ୍ୟା । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର । ୨୨ ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଏକ ଡିପ୍ରେସନ୍‌ରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ ୨୪ ତାରିଖରେ ସୃଷ୍ଟି ହେବ ସାଇକ୍ଲୋନ୍‌ । ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜନ୍ମ ନେବ ବାତ୍ୟା ସିତ୍ରାଙ୍ଗ । ତେବେ ଏହାର ତୀବ୍ରତା ଓ ଗତିପଥ ନେଇ କୌଣସି ସୂଚନା ଦେଇନି ଆଇଏମଡି ।

କିନ୍ତୁ ଅବପାତ ପ୍ରଭାବରେ ୨୨ ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୪ରୁ ୫୫ ଓ ସ୍ଥଳ ବିଶେଷରେ ୬୫ କିଲୋମିଟର ପବନ ବହିପାରେ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ୨୩ ତାରିଖରୁ ଓଡ଼ିଶା ଉପକୂଳର ଆଖପାଖ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ୨୨ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ପାଇଁ ସତର୍କ କରିଛି ପାଣିପାଗ ବିଭାଗ ।

୨୩ ତାରିଖ ପରଠୁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ହୋଇପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବଢ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.