ପୁଣିଥରେ ଜୋର ଧରିଲା ଋଷ-ୟୁକ୍ରେନ ଯୁଦ୍ଧ: ଉଭୟ ପକ୍ଷରୁ ମିଶାଇଲ ମାଡ; ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ ଦୂତାବାସ ପକ୍ଷରୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣିଥରେ ଜୋର ଧରିଛି। ଋଷ ସେନା ଉପରେ ୟୁକ୍ରେନ ସେନା ଭାରି ପଡୁଛନ୍ତି । ଫଳରେ ଋଷ ୟୁକ୍ରେନର ସହର ଉପରେ ମିଶାଇଲ ଆକ୍ରମଣ ଜୋରଦାର କରିଛି । ଏହାକୁ ନଜରରେ ରଖି ବୁଧବାର ଦିନ ଭାରତ ଏହାର ସମସ୍ତ ନାଗରିକଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ କହିଛି। ଏହା ସହିତ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ବର୍ତ୍ତମାନ ୟୁକ୍ରେନରେ ଥିବା ଛାତ୍ର ନାଗରିକଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଗତ କିଛି ଦିନ ହେବ ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣ ବ୍ୟାପକ ହୋଇଛି ।

ଏପଟେ ଋଷ ଅକ୍ତିଆର କରିନେଇଥିବା ୟୁକ୍ରେନର ୪ଟି ପ୍ରଦେଶରେ ୟୁକ୍ରେନ ସେନା ପକ୍ଷରୁ ମିଶାଇଲ ମାଡ କରାଯାଉଥିବା ଋଷ ଅଭିଯୋଗ କରିଛି । ୟୁକ୍ରେନ ସୀମାର ୮ଟି ଅଞ୍ଚଳରେ ଜନସାଧାରଣଙ୍କୁ ବାହାରେ ବୁଲିବା ଉପରେ କଟକଣା ଲଗାଯାଇଛି । କିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡ୍‌ଭାଇଜରୀ ଜାରି କରାଯାଇ ଏପରି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଲେଖାଯାଇଛି “ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଓ ୟୁକ୍ରେନ୍‌ରେ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ଦେଖି ଭାରତୀୟମାନଙ୍କୁ ୟୁକ୍ରେନ୍ ଆସିବାକୁ ମନା କରାଯାଉଛି। ଯେଉଁ ଭାରତୀୟ ନାଗରିକ ଯଥା ଛାତ୍ରଛାତ୍ରୀମାନେ ୟୁକ୍ରେନ୍‌ରେ ରହିଛନ୍ତି ସେମାନେ ତୁରନ୍ତ ଦେଶ ଛାଡ଼ି ଚାଲିଯାଆନ୍ତୁ। ”

ଏହାପୂର୍ବରୁ ବୁଧବାର ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖେରସନ, ଜାପୋରିଜିଆ, ଲୁହାନସ୍କ ଏବଂ ଡୋନେଟସ୍କ ଚାରିଟି ଅଞ୍ଚଳରେ ସାମରିକ ଆଇନ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ସୂଚାଇ ଦେଇଛି ଯେ ରୁଷ ପୂର୍ବ ୟୁକ୍ରେନରେ ନିଜର ନିୟନ୍ତ୍ରଣକୁ ଦୃଢ କରୁଛି।ଯୁଦ୍ଧର ପ୍ରାରମ୍ଭରେ ୟୁକ୍ରେନରେ ଥିବା ପ୍ରାୟ ୬୦,୦୦୦ ନାଗରିକଙ୍କୁ ଥଇଥାନ କରିବା ପାଇଁ ଭାରତ “ଅପରେସନ୍ ଗଙ୍ଗା” କରିଥିଲା। ଋଷର ସ୍ୱତନ୍ତ୍ର ସାମରିକ ଅପରେସନର ନୂଆ କମାଣତଡର ସେର୍ଗି ସୁରୋଭିକିନ କହିଛନ୍ତି, ଖେରସେନରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ୟୁକ୍ରେନ ସେନା ଭିତିଭୂମି ଏବଂ ସାଧାରଣ ଜନବସତିକୁ ଟାର୍ଗେଟ କରି ଆକ୍ରମଣ କରୁଛି । ତେଣୁ ୟୁକ୍ରେନର ପ୍ରମୁଖ ସହର ଗୁଡିକରୁ ଜନସାଧାରଣଙ୍କୁ ଖାଲି କରିବାକୁ ଋଷ ଘୋଷଣା କରିଛି ।

ସୋମବାର ଋଷ ଫୋର୍ସ ଉପରେ ସିରିଜ୍ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍। ସେହିପରି ଋଷ ମଧ୍ୟ କାମିକାଜେ ଡ୍ରୋନ୍‌ରେ ମାଧ୍ୟମରେ ଆକ୍ରମଣ ଜାରି ରଖିଛି। ଏଥିରେ ୟୁକ୍ରେନ୍‌ରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଧ୍ୱଂଶ ହୋଇଯାଇଛି। ତେବେ ସାଧାରଣ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉନଥିବାରୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତ ସମେତ ଅନ୍ୟ ଦେଶମାନେ ସେମାନଙ୍କ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଭାରତୀୟ ନାଗରିକ ଏବେ ୟ୍ରୁକ୍ରେନ ନଯିବାକୁ ଭାରତ ପକ୍ଷରୁ କୁହାଯାଇଛି । ୟୁକ୍ରେନରେ ଥିବା ଛାତ୍ର ଏବଂ ଭାରତୀୟମାନଙ୍କୁ ତରନ୍ତ ଯେକୌଣସି ଉପାୟରେ ୟୁକ୍ରେନ ଛାଡିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବସ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।