ମାସ ମାସ ଧରି ଅମାବାସ୍ୟା ପାଳୁଛନ୍ତି ଏହି ଗାଁର ଲୋକ, କେବେ ସରିବ ଏମାନଙ୍କ ଦୁଃଖ

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥା ହୋଇଥିଲା । ମାତ୍ର ଦୀର୍ଘ ଦିନ ହେଲା ଗାଁ ଲାଇଟ ଅଚଳ ଥିବାରୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତ ୧୨ ନମ୍ବର ଓ୍ଵାର୍ଡ ବେହେରା ସାହିଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କିଟ୍‌ କିଟ୍‌ ଅନ୍ଧାର । ମୁହଁକୁ ମୁହଁ ଦିଶୁନି । ଅନ୍ଧାରରେ କଟୁଛି ଗାଁ ଲୋକଙ୍କ ଜୀବନ । ଖୁଣ୍ଟ ଲାଇଟ ଲାଗିଛି ମାତ୍ର ରାତି ହେଲେ ସାରା ଗାଁ ଅନ୍ଧାର। ମାସ ମାସ ଧରି ଅମାବାସ୍ୟା ପାଳୁଛନ୍ତି ଅଞ୍ଚଳବାସୀ । ବର୍ଷା ଦିନ ହୋଇଥିବାରୁ ସାପ ବେଙ୍ଗ ଭୟ ବି ଲାଗି ରହୁଛି । ଦିନ ବେଳେ ତ ସବୁ ଠିକ୍‌ ଠାକ୍‌ କିନ୍ତୁ ରାତି ହେଲେ ଘରୁ ବାହାରି ପାରୁ ନାହାନ୍ତି ଲୋକେ । କାରଣ ରାସ୍ତା ସାରା ପୁରା ଅନ୍ଧାର ।

ସରକାର ଗାଁ ଗାଁକୁ ବିଦ୍ୟୁତ ଯୋଗାଣ ପାଇଁ କେତେ କଣ ବ୍ୟବସ୍ଥା କରୁଛନ୍ତି । କିନ୍ତୁ କିଛି ଗାଁ ଏପରି ଅଛି ଯେଉଁଠି ରାତି ହେଲେ ପୂରା ଗାଁ ଅନ୍ଧାର । ସମାନ ଭାବେ ଏଭଳି ଏକ ଗାଁ ଅଛି ଯେଉଁଠାରେ ଗାଁ ରାସ୍ତାରେ ଲାଇଟ ଖୁଣ୍ଟ ଲାଗିଛି ମାତ୍ର ଏହା ଅଚଳ ହୋଇ ପଡ଼ିଛି ।

ଏଭଳି ଅଭାବନୀୟ ଦୃଶ୍ୟ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତ ୧୨ ନମ୍ବର ଓ୍ଵାର୍ଡ ବେହେରା ସାହିରୁ ସାମ୍ନାକୁ ଆସିଛି । ଅଳ୍ପ କିଛିଦିନ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥା ହୋଇଥିଲା । ମାତ୍ର ଦୀର୍ଘ ଦିନ ହେଲା ଗାଁ ଲାଇଟ ଅଚଳ ଥିବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ମୁଖ୍ୟ ରାସ୍ତା ଠାରୁ ଏହି ୱାର୍ଡଟି ଦୂର ଓ ନିକାଞ୍ଚନ ହୋଇଥିବାରୁ ସ୍ଥାନୀୟ ଲୋକେ ଅନ୍ଧାରରେ ଯାଆସ କରିବାକୁ ଭୟ କରୁଛନ୍ତି । ସେହିପରି ଏହି ପଞ୍ଚାୟତର ଅନେକ ସ୍ଥାନରେ ଦିନରେ ଲାଇଟ ଜଳୁଥିବା ସହ ବିଦ୍ୟୁତର ଅପବ୍ୟବହାର ହେଉଥିବା ଦେଖିବାକୁ ମିଳିଛି l ଏନେଇ ସ୍ଥାନୀୟ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l କେବଳ ଏହି ପଞ୍ଚାୟତ ନୁହେଁ ବ୍ଲକର ୨୯ ଗୋଟି ପଞ୍ଚାୟତରେ ସମାନ ଅବସ୍ଥା l ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଲାଇଟ ଅଚଳ ହୋଇ ପଡ଼ିଛି ତାହା ନୁହେଁ ଗାଁର ରାସ୍ତା ଅବସ୍ଥା ବି ଭଲ ନାହିଁ । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ରାତି ହେଲେ ଅନ୍ଧାର ତ ଅନ୍ଧାର ଚୋରଙ୍କ ଭୟ ବି ଲାଗି ରହୁଛି । ଗାଁ ରାସ୍ତା ଏଭଳି ଅନ୍ଧାର ହୋଇଥିବାରୁ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଏ ବାବଦରେ ଅଭିଯୋଗ କରି କରି ଥକି ପଡ଼ିଲେଣି ଏହି ଗାଁର ବାସିନ୍ଦା । ତେଣୁ ଲାଇଟ ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.