Below header

ପାଳିତ ହୋଇଛି ବିଶିଷ୍ଟ ପାଲାକାର ତଥା ଗାୟକ ସୁଧାକର ପରମାନନ୍ଦ ଶରଣଙ୍କ ରଜତ ଜୟନ୍ତୀ

ଲୋକ କଳା ମଧ୍ୟରେ ପାଲା ସଂସ୍କୃତିର ରହିଛି ସ୍ୱତନ୍ତ୍ର ସ୍ଥାନ । ତେବେ ଆଧୁନିକ ଯୁଗରେ ପାଲା ସଂସ୍କୃତିର ଅବକ୍ଷୟ ଘଟିଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ଗ୍ରାମରେ ଜାରି ରହିଛି ପ୍ରୟାସ । ବିଶିଷ୍ଟ ପାଲାକାର ତଥା ଗାୟକ ସୁଧାକର ପରମାନନ୍ଦ ଶରଣଙ୍କ ଜନ୍ମମାଟିରେ ଚଳିତ ବର୍ଷ ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଛି ।

ଲୋକ କଳା ମଧ୍ୟରେ ପାଲା ସଂସ୍କୃତିର ରହିଛି ସ୍ୱତନ୍ତ୍ର ସ୍ଥାନ । ତେବେ ଆଧୁନିକ ଯୁଗରେ ପାଲା ସଂସ୍କୃତିର ଅବକ୍ଷୟ ଘଟିଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ଗ୍ରାମରେ ଜାରି ରହିଛି ପ୍ରୟାସ । ବିଶିଷ୍ଟ ପାଲାକାର ତଥା ଗାୟକ ସୁଧାକର ପରମାନନ୍ଦ ଶରଣଙ୍କ ଜନ୍ମମାଟିରେ ଚଳିତ ବର୍ଷ ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଛି । ଯେଉଁଥିରେ ପାଲା ସଂସ୍କୃତିର ପ୍ରଚାର ପ୍ରସାର ସହ ପାଲା ଗାୟକ ଏବଂ ବାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପାଲା ଜଗତର ପଞ୍ଚଶଖା ମଧ୍ୟରୁ ଜଣେ ଥିଲେ ପରମାନନ୍ଦ ଶରଣ । ତାଙ୍କର ପାଲା ପରିବେଷଣ ଆଜି ପର୍ଯ୍ୟନ୍ତ କାଳଜୟୀ ହୋଇ ରହିଛି ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଉତ୍ତରପ୍ରତାପ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପରମାନନ୍ଦ ଶରଣ । ତାଙ୍କ ସ୍ମୃତିରେ ଗ୍ରାମରେ ପ୍ରତିମୂର୍ତ୍ତି ସ୍ଥାପନ ସହ କଲ୍ୟାଣ ମଣ୍ଡପ ନାମିତ କରାଯାଇଛି । ଏଥିସହ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ସ୍ଥାନୀୟ ସ୍ମୃତି ସଂସଦ ପକ୍ଷରୁ ଗାୟକ ସୁଧାକର ସ୍ୱର୍ଗତ ପରମାନନ୍ଦ ଶରଣଙ୍କ ସ୍ମୃତି ଚାରଣ କରାଯାଇଥାଏ । ଚଳିତ ବର୍ଷ ତାଙ୍କର ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ନିଖିଳ ଉତ୍କଳ ପାଲାକାର ସଂଘର ବହୁ କର୍ମକର୍ତ୍ତା ଯୋଗଦେଇ ପରମାନନ୍ଦ ଶରଣ ପାଲା ସଂସ୍କୃତିର ପ୍ରଗତୀଶୀଳ ଚେତନାର ଉନ୍ମେଷ ଥିଲେ ବୋଲି ମତ ପ୍ରକାଶ ପାଇଥିଲା । ଅନୁଷ୍ଠିତ ଉତ୍ସବରେ ନିଖିଳ ଉତ୍କଳ ପାଲାକାର ସଂଘର ସଭାପତି ମଦନ ମୋହନ ଜେନା, ସଂପାଦକ ବସନ୍ତ ରାଉତ, ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ପଣ୍ଡିତ କାମଦେବ ଶତପଥୀ ଯୋଗଦେଇ ସ୍ଵର୍ଗତ ଶରଣ ପାଲା ଜଗତର ସାଂସ୍କୃତିକ ଜନକ ଓ ଭାଷା ବିନ୍ୟାସର ବିନ୍ଧାଣୀ ଥିଲେ । ତାଙ୍କ ଅବର୍ତ୍ତମାନ ପାଲା ଜଗତ ପାଇଁ ଏକ ଶୂନ୍ୟସ୍ଥାନ ବୋଲି ମତ ପ୍ରକାଶ ପାଇଥିଲା ।

ଏହି ଅବସରର ସ୍ମୃତି ସଂସଦ ପକ୍ଷରୁ ବହୁ ବିଶିଷ୍ଟ ପାଲା ଗାୟକ, ବାୟକ, ସଙ୍ଗୀତଜ୍ଞଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପରିବାର ପକ୍ଷରୁ କବି ପଦ୍ମଜା ଶରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ କୁମୁଦିନୀ ପଣ୍ଡା ଓ ବୈରାଗୀ ବେହେରାଙ୍କ ଦ୍ୱାରା ପାଲା ପରିବେଷଣ କରଯାଇଥିଲା । ବର୍ତ୍ତମାନର ଯୁବ ପିଢ଼ି ପାଲା ସଂସ୍କୃତି ପ୍ରତି ବିମୁଖ ହେଉଥିବା ବେଳେ ନୀଳକଣ୍ଠପୁର ଗ୍ରାମରେ ଏଭଳି ପ୍ରୟାସ ବେଶ ପ୍ରଶଂସନୀୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.