ଚାଷ ଜମିରେ ଚୁଆ ଖୋଳି ଦୂଷିତ ପାଣିକୁ ସଂଗ୍ରହ କରୁଛନ୍ତି ଗାଁ ଲୋକେ, ଫେଲ୍‌ ମାରିଛି ପାନୀୟ ଜଳ ପ୍ରକଳ୍ପ

ଏବେ ଠାରୁ କୂଅ ଓ ପୋଖରୀର ପାଣି ଶୁଖିବାରେ ଲାଗିଲାଣି । ଯାହା ଫଳରେ ପାନୀୟ ଜଳ ଅଭାବରୁ ଏବେ ବୀରସିଂପଡା ଗ୍ରାମବାସୀ ଡହକବିକଳ ହେଉଛନ୍ତି । ହେଲେ ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ହୋଇପାରୁନି ।

ନୂଆପଡା (କେନ୍ୟୁଜ): ଦୁର୍ଗମ ପାହାଡିଆ ଅଂଚଳରେ ଗ୍ରୀଷ୍ମ ପୂର୍ବରୁ ଲୋକଙ୍କ ଜଳ କଷ୍ଟ ବୃଦ୍ଧି ପାଇବାରେ ଲାଗିଛି । ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଲୋକେ । ନୂଆପଡା ଜିଲା କୋମନା ବ୍ଲକ ଦୁର୍ଗମ ଭୁରୁଆମୁଣ୍ଡା ବୀରସିଂପଡା ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ପାନୀୟ ଜଳ ଅଭାବରୁ ବୀରସିଂପଡା ଗାଁର ମହିଳାମାନେ ଗାଁ ନିକଟସ୍ଥ ଚାଷ ଜମିରେ ଚୁଆ ଖୋଳି ଦୂଷିତ ପାଣିକୁ ସଂଗ୍ରହ କରୁଛନ୍ତି । ଏହି ଦୂଷିତ ପାଣିକୁ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ ଏହି ଗାଁକୁ ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପାଣି ପ୍ରକଳ୍ପ ବ୍ୟବସ୍ଥା ହୋଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ପାନୀୟ ଜଳ ପ୍ରକଳ୍ପ ଫେଲ ମାରିଛି । ଏନେଇ ଥିବାରୁ ବୀରସିଂପଡା ଗ୍ରାମବାସୀ ବାଧ୍ୟ ହୋଇ ଚୁଆ ଖୋଲି ଦୂଷିତ ଜଳକୁ ସଂଗ୍ରହ କରୁଛନ୍ତି ।

ନୂଆପଡା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ରହିଛି କୋମନା ଗ୍ରାମ ପଞ୍ଚାୟତର ବୀରସିଂପଡା ଗାଁ । ଏହି ଗାଁରେ ପ୍ରାୟ ୫୦ ପରିବାର ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି । ଦୀର୍ଘ ବର୍ଷରୁ ବୀରସିଂପଡା ଗ୍ରାମବାସୀ ଝରଣା ପାଣି ଓ ନଳକୂଅର ଫ୍ଲୋରାଡଯୁକ୍ତ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ୫ ବର୍ଷ ତଳେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ତାହା କିଛି ଦିନ ଚାଲିବା ପରେ ବିଭିନ୍ନ ସ୍ଥାନରେ ପାଇପଗୁଡିକ ଫାଟିଯିବା ସହ ମୋଟର ପମ୍ପ ମଧ୍ୟ ଅଚଳ ହୋଇପଡିଛି । ପ୍ରତିଦିନ ପାନୀୟ ଜଳ ଅଭାବରୁ ବୀରସିଂପଡା ଗାଁର ମହିଳାମାନେ ଗାଁ ନିକଟସ୍ଥ ଚାଷଜମିକୁ ଯାଇ ଚୁଆ ଖୋଳି ଦୂଷିତ ଜଳକୁ ସଂଗ୍ରହ କରିବାରେ ସଂଘର୍ଷ କରୁଛନ୍ତି ।

ଏବେ ଠାରୁ କୂଅ ଓ ପୋଖରୀର ପାଣି ଶୁଖିବାରେ ଲାଗିଲାଣି । ଯାହା ଫଳରେ ପାନୀୟ ଜଳ ଅଭାବରୁ ଏବେ ବୀରସିଂପଡା ଗ୍ରାମବାସୀ ଡହକବିକଳ ହେଉଛନ୍ତି । ଏନେଇ ବୀରସିଂପଡା ଗ୍ରାମବାସୀ ବାରମ୍ୱାର କୋମନା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜନସ୍ୱାସ୍ଥ୍ୟ ବିଭାଗୀୟ କତୃପକ୍ଷଙ୍କ ନିକଟରେ ଦାବି କରିଆସୁଛନ୍ତି । ହେଲେ ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ହୋଇପାରୁନି । ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ଜିଲାପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ବୀରସିଂପଡା ଗ୍ରାମବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ଦାବି ହୋଇଛି । ଅନ୍ୟପଟେ କୋମନା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାଁରେ ଅଚଳ ହୋଇପଡିଥିବା ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରାଯିବ ଏବଂ ଗାଁ ଲୋକଙ୍କୁ ଖୁବଶୀଘ୍ର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.