ସ୍ୱାସ୍ଥ୍ୟକେନ୍ଦ୍ରରୁ ବାୟୋ ମ୍ୟାଟ୍ରିକ୍ ମେସିନ୍ ଚୋରି, ନିଘୋଡ଼ ନିଦ୍ରାରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ମୋହନା( କେନ୍ୟୁଜ୍‌) : ଗଜପତି ଜ଼ିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି l ଗୁରୁବାର ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ କେନ୍ଦ୍ର ଷ୍ଟାଫ୍ ନର୍ସ ରୁମ୍ ରେ ଲାଗିଥିବା ବାୟୋମାଟ୍ରିକ୍ ମେସିନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି l ମୋହନା ଥାନା ରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ନମିତା ପଣ୍ଡା l ସୂଚନା ପ୍ରକାରେ ଗୁରୁବାର ରାତି ୧୦ ଟା ୩୦ ରେ ଡାକ୍ତର ଆଶୁତୋଷ ଦାସ ବାୟୋମା ଟ୍ରିକ୍ ଉପସ୍ଥାନ ପକାଇଥିଲେ କିନ୍ତୁ ପରେ ଡାକ୍ତର ଜୟ ପଣ୍ଡା ଉପସ୍ଥାନ ପକାଇବା ପାଇଁ ବକ୍ସ ଖୋଲିବା ବେଳେ ବକ୍ସ ମଧ୍ୟରେ ମେସିନ୍ ଟି ନଥିବା ଦେଖିଥିଲେ ଏବଂ ସଙ୍ଗେ ସଙ୍ଗେ ସେ ଏନେଇ ଭାରପ୍ରାପ୍ତ ଅଧିକାରୀ ଙ୍କୁ ଜଣାଇଥିଲେ l

ଶୁକ୍ରବାର ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋହନା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି l ସୂଚନା ଯୋଗ୍ୟ ଯେ ପୂର୍ବ ରୁ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ରୋଗୀ ଙ୍କୁ ଶୋଷଣ ଏବଂ କର୍ମଚାରୀ ଙ୍କ ମନମାନି କାର୍ଯ୍ୟ ଅଭିଯୋଗ ପରେ ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶ ପରେ ଉପ ଜ଼ିଲ୍ଲାପାଳ ଆଲୋକ ପ୍ରଧାନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ପାଞ୍ଚ ବର୍ଷ ରୁ ଉର୍ଦ୍ଧ ସମୟ କାର୍ଯ୍ୟରତ କର୍ମଚାରୀଙ୍କୁ ବଦଳି ପାଇଁ ଏକ ତାଲିକା ପ୍ରସ୍ତୁତ କରି ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା l ଏହାପରେ କର୍ମଚାରୀ ଙ୍କ ଦୌରାତ୍ମ ଅଧିକରୁ ଅଧିକ ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜ଼ିଲ୍ଲାର କେବଳ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାସ ପୂର୍ବେ ବାୟୋମ୍ୟାଟ୍ରିକ୍ ବ୍ୟବସ୍ଥା ଲାଗୁକରାଯାଇଥିଲା । କିନ୍ତୁ ଏହାକୁ ମଧ୍ୟ ଚାଲେଞ୍ଜ କରିଥିଲେ ଦୌରାତ୍ମ୍ୟ ସୃଷ୍ଟିକାରି କର୍ମଚାରୀମାନେ । ଶେଷରେ ବାୟୋମାଟ୍ରିକ୍ ମେସିନ୍ କୁ ହିଁ ଉପାଡି ଚୋରି କରିନେଲେ l

ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟପନ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ହାତରେ ରଖି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ଏଭଳି ମନମାନି କରୁଥିବା ଅଭିଯୋଗ ହୋଇଛି l ତେଵେ ଷ୍ଟାଫ ନର୍ସ ରୁମରୁ କିଏ ମେସିନ୍ ଚୋରିକଲା ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କେବେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.