ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଗୃହରେ ଆଗତ ହେବ ବିଧାନ ପରିଷଦ ସଂକଳ୍ପ । ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ । ଏନେଇ ଗଠିତ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ଗସ୍ତ କରି ଅନୁଧ୍ୟାନ କରିଥିଲା । ବିଧାନ ପରିଷଦ ଗଠନ ହେଲେ ବର୍ଷକୁ ୩୫ କୋଟି ଖର୍ଚ୍ଚ ହେବ । ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ ଥିବାରୁ ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବେ । ୪୦ରୁ କମ୍ ସଦସ୍ୟ ରହିବେ ନାହିଁ । ବିଧାନ ପରିଷଦ ସଦସ୍ୟଙ୍କ କାର‌୍ୟ୍ୟକାଳ ୬ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ଆସନ ଖାଲି ହେବ ।

ଏକ ତୃତୀୟାଂଶ ସଦସ୍ୟ ମ୍ୟୁନିସିପାଲିଟି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଏକ ଷଷ୍ଠାଂଶ ସଦସ୍ୟଙ୍କୁ କଳା, ସାହିତ୍ୟ, ବିଜ୍ଞାନ, ସମାଜସେବା ଓ ସମବାୟ ଆନ୍ଦୋଳନ କ୍ଷେତ୍ରରୁ ମନୋନୀତ କରାଯିବ । ଏମାନଙ୍କୁ ମନୋନୀତ କରିବେ ରାଜ୍ୟପାଳ । ୧୨ ଭାଗରୁ ୧ ଭାଗ ସଦସ୍ୟଙ୍କୁ ସ୍ନାତକମାନେ ନିର୍ବାଚିତ କରିବେ । ଅବଶିଷ୍ଟ ୧୨ ଭାଗରୁ ୧ ଭାଗ ସଦସ୍ୟ ମାଧ୍ୟମିକ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପନା କ୍ଷେତ୍ରରୁ ନିର୍ବାଚିତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.