ଗଭୀର ସମୁଦ୍ରରେ ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛଙ୍କୁ କରାଯାଉଛି ଟ୍ୟାଗିଂ

ଗଞ୍ଜାମ(କେନ୍ୟୁଜ୍):  ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଲକ୍ଷାଧିକ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡା ଦାନ କରନ୍ତି । ଏହି ଗଣ ଅଣ୍ଡାଦାନ ପୂର୍ବରୁ ମୁହାଣ ନିକଟରେ କଇଁଛମାନେ ପ୍ରଜଜନ କରିଥାନ୍ତି । ତେବେ ଏହି କଇଁଛମାନଙ୍କ ଗତିବିଧି , ଅଣ୍ଡା ଦାନ କରିବା ପରେ କେଉଁଠି ରହୁଛନ୍ତି ଓ କେଉଁ ସ୍ଥାନରେ ଅଣ୍ଡାଦାନ କରୁଛନ୍ତି ସେଥିପାଇଁ ଏହି ବିରଳ ପ୍ରଜାତିର କଇଁଛଙ୍କୁ ଟ୍ୟାଗିଂକରାଯାଉଛି ।

ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଟ୍ୟାଗ୍ କରାଯାଉଥିବା ବେଳେ ଏହାକୁ ବ୍ରହ୍ମପୁର ବନ ବିଭାଗ ଓ ଗୋପାଳପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଉଛି । ଓଡ଼ିଶାରେ ଏଭଳି ଟ୍ୟାଗ୍ 25 ବର୍ଷ ପୂର୍ବରୁ ଆରମ୍ଭ ହୋଇଛି । 1994-96 ମସିହାରେ 8 ହଜାର କଇଁଛଙ୍କୁ ଟ୍ୟାଗିଙ୍ଗ୍ କରାଯାଇଥିଲା । ବର୍ତ୍ତମାନ 30 ହଜାର କଇଁଛଙ୍କୁ ଏହି ଟ୍ୟାଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଟ୍ୟାଗରେ ସ୍ୱତନ୍ତ୍ର ନମ୍ୱର , ଅନୁଷ୍ଠାନର ନାମ ଓ ଇ-ମେଲ ଆଦି ଦିଆଯାଇଛି । ଯାହାଦ୍ୱାରା ଏମାନଙ୍କ ବିଷୟରେ ସହଜରେ ଜାଣିହେବ । ଆଜି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଗଭୀର ସମୁଦ୍ର ମଧ୍ୟରେ ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କ ଉପସ୍ଥିତିରେ ଦୁଇଟି ମେଲ ଓ ଚାରୋଟି ଫିମେଲ୍ କଇଁଛଙ୍କୁ ଟ୍ୟାଗିଙ୍ଗ୍ କରାଯାଇଛି । ଏହି ଟ୍ୟାଗିଂ କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀଙ୍କ ସମେତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଡଃ ବାସୁଦେବ ତ୍ରିପାଠୀ ଓ ଡଃ ଅନିଲ୍ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.