ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ଅନୁଷ୍ଠିତ

କଟକ(କେ ନ୍ୟୁଜ): ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ନୂଆ ବିଚାରପତି ଭାବରେ ଆଜି ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡ.ଏସ୍‌ ମୁରଲୀଧର ସେମାନଙ୍କୁ ଶପଥପାଠ କରାଇଥିଲେ । ଏହାପରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୭ରେ ପହଞ୍ଚିଛି । ପୂର୍ବରୁ ଗତ ୮ ତାରିଖରେ ଜଷ୍ଟିସ୍‌ ଯଶଓ୍ଵନ୍ତ ସିଂ ଓ ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ବିଚାରପତି ଭାବେ ଶପଥ ନେଇଥିଲେ । ଓଡ଼ିଶା ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଛି । ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା, ପୋଲିସ ଡିଜି ଅଭୟ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ । ଜଷ୍ଟିସ ମୃଗାଙ୍କ ଶେଖର ସାହୁ ୧୯୭୧ ସେପ୍ଟେମ୍ବର ୭ରେ ଜନ୍ମ ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅଧିନ ଲ’ ସେଣ୍ଟରରୁ ଏଲଏଲବି. ଡିଗ୍ରି ହାସଲ କରି ୧୯୯୯ରେ ଆଇନ ପେସାରେ ଯୋଗ ଦେଇଥିଲେ । ୨୦୧୪ରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ମିଳିଥିଲା ।

ସେହିପରି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ୧୯୭୦ ମସିହା ଅକ୍ଟୋବର ୨୫ରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୯ରେ ସେ ସିଭିଲ ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ପରେ ସିଭିଲ ଜଜ୍‌ ପଦରୁ ଇସ୍ତଫା ଦେଇ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୦୯ରେ ସିଧାସଳଖ ଜିଲ୍ଲା ଜଜ୍‌ ପାହ୍ୟାରେ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନରେ ଜିଲ୍ଲା ଜଜ୍‌, ହାଇକୋର୍ଟରେ ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟ କରିବା ପରେ ସେ ଆଇନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ ଶଶିକାନ୍ତ ମିଶ୍ର ୧୯୬୭ ଜାନୁଆରି ୧୭ରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୯ରେ ସେ ଜିଲ୍ଲା ଜଜ୍‌ ପାହ୍ୟାରେ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ, କେନ୍ଦୁଝର ଜିଲ୍ଲା ଜଜ୍‌ ଓ ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିବା ପରେ ଗଞ୍ଜାମ ଜିଲ୍ଲା ଜଜ୍‌ ଭାବେ ସେ ନିଯୁକ୍ତି ପାଇଥିଲେ। ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଏମାନଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.