ଥାର୍ଡଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମୀଙ୍କୁ ବଦଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଅଧିକାରୀମାନେ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମଚାରୀଙ୍କୁ କୋରାପୁଟ ହେଡ କ୍ୱାଟରକୁ ବଦଳି ସହ ମାଛକୁଣ୍ଡ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଭାଗୀୟ ଅଧିକାରୀ ।

ଥାର୍ଡ ଡିଗ୍ରୀ ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାରଣ ଏହା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଥାର୍ଡଡିଗ୍ରୀ ଦିଆଯାଇଥିବାର ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିର୍ଦ୍ଧୁମ ମାଡ଼ ମାରିଛନ୍ତି କିଛି ପୋଲିସ ଅଧିକାରୀ । ଯାହା ପରେ ଆକ୍ସନ ମୋଡ଼ରେ ବିଭାଗୀୟ ଅଧିକାରୀ । କୋରାପୁଟ ଜିଲ୍ଲାରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୂର୍ଣ୍ଣ ଘଟଣା ଏହିପରି ।

କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଅଧିକାରୀମାନେ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମଚାରୀଙ୍କୁ କୋରାପୁଟ ହେଡ କ୍ୱାଟରକୁ ବଦଳି ସହ ମାଛକୁଣ୍ଡ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଭାଗୀୟ ଅଧିକାରୀ । ପୋଲିସ ମାଛକୁଣ୍ଡର ଜଣେ ବ୍ୟବସାୟୀ ପି . ଶିବାଙ୍କୁ ଥାର୍ଡ ଡିଗ୍ରୀ ଦେଇ ଲହୁ ଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଦକ୍ଷିଣ-ପଶ୍ଚିମାଅଞ୍ଚଳ ଡିଆଜି ଚରଣ ସିଂ ମିନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ନିଜେ ପୀଡିତ ବ୍ୟକ୍ତି । ଏହି ଘଟଣାକୁ ନେଇ ମାଛକୁଣ୍ଡ ଥାନା ଏବଂ ଲମତାପୁଟ ଫାଣ୍ଡିରେ ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଲମତାପୁଟ ଫାଣ୍ଡି ଅଧିକାରୀ ଚିତ୍ତ ପ୍ରଧାନ,କନେଷ୍ଟବଳ ଭୁବନ ନାୟକ ଏବଂ ହାବିଲଦାର ଜଗଦୀଶ ବାଘଙ୍କୁ କୋରାପୁଟ ହେଡକ୍ୱାଟରକୁ ବଦଳି କରାଯାଇଛି । ଏବଂ ମାଛକୁଣ୍ଡ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କୋରାପୁଟ ଏସପି ।

୧୧ ତାରିଖରେ ପି .ଶିବାଙ୍କ ବିରୋଧରେ ମାଛକୁଣ୍ଡର ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ମିଳିତ ଭାବରେ ଏକ ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ ଉକ୍ତ ସ୍ୱାମୀ ସ୍ତ୍ରୀଙ୍କ ଘର ପଛ ପଟେ ପି. ଶିବା ଲୁଚିଲୁଚି କିଛି ଭିଡିଓ କରିଥିଲେ । ଏସବୁ ଦେଖିବା ପରେ ଉକ୍ତ ସ୍ୱାମୀ ସ୍ତ୍ରୀ ଭୟ ପାଇ ପରଦିନ ସକାଳେ ସମ୍ପୃକ୍ତ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଉଭୟ ପକ୍ଷକୁ ଡାକି ସମାଧାନ କରିଥିଲା ।

ଅନ୍ୟପଟେ ପି. ଶିବା ନିଜେ ଲିଖିତ ଭାବେ କହିଥିଲେ ଯେ ସେ ଏଭଳି କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିବେ ଏବଂ ସେ ସୁସ୍ଥ ଭାବରେ ଘରକୁ ଫେରିଛନ୍ତି ବୋଲି ଏକ ଲେଖା ଦେଇଥିଲେ । କିନ୍ତୁ ୧୨ ତାରିଖରେ ଡିଆଜିଙ୍କ ନିକଟରେ ପି. ଶିବା ଯେଉଁ ଅଭିଯୋଗ ଆଣିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ଶରୀରରେ ଲାଲ ଦାଗ ରହିଥିଲା । ତାଙ୍କୁ ପୋଲିସ ଅଧିକାରୀମାନେ ନିର୍ମମ ଭାବେ ମାଡ଼ ମାରିଥିବା ସେ ଅଭିଯୋଗ ଆଣିଥିଲେ । ମାଛକୁଣ୍ଡ ଥାନା ଅଧିକାରୀ ୫ ହଜାର ଟଙ୍କା ଶିବାଙ୍କ ଭାଇଙ୍କୁ ଚିକତ୍ସା ପାଇଁ ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ ପି. ଶିବା ।

ଏହି ଘଟଣା ପରେ ପୋଲିସ ଡିଆଇଜି କୋରାପୁଟ ଏସପିଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ତିନି ପୋଲିସ କର୍ମଚାରୀଙ୍କ ବଦଳି ହୋଇଛି । ଅନ୍ୟପଟେ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.