ଦୁଃଖର ପାହାଡ ତଳେ ଚାପି ହୋଇଯାଇଛି ଜୀବନ, ବାପା ମା’ ଚାଲିଗଲା ପରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ତିନି ଭଉଣୀ

ଭଙ୍ଗା ଦଦରା ଘର । ଘରକୁ ଦେଖିଲେ ଭିତର ଅବସ୍ଥା ଜାଣି ହେଉଛି । ଏହି ଘରର ମୁରବୀ ହେଉଛନ୍ତି ପିଙ୍କି ବୟସ 18 ଛୁଇଁନି ମାତ୍ର ନିଜ 2 ସାନ ଭଉଣୀଙ୍କ ଅନ୍ନଦାତା। ଦାରିଦ୍ର୍ୟ ଦୁରୀକରଣ,ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ମାଳମାଳ ଯୋଜନା କରିଛନ୍ତି ସତ କିନ୍ତୁ ସବୁକିଛି ଫେଲ ମାରିଛି ଏହି କଅଁଳ ତିନି ଜୀବନ ପାଖରେ । ଏହି ତିନି ଭଉଣୀଙ୍କ ଜୀବନ ସଂଘର୍ଷ ନିଜ ଆଖିରେ ନଦେଖିଲେ ଆପଣ ବିଶ୍ଵାସ କରିପାରିବେନି ।

ସୁନ୍ଦରଗଡ ପୌରାଂଚଳ ଓ୍ଵାର୍ଡ ନମ୍ଵର 15ର ସାଧୁ ପ୍ରଧାନ । ବଢେଇ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପରିବାରରେ ସ୍ତ୍ରୀ ଓ 3 ଝିଅ କିନ୍ତୁ ଦୁଇ ବର୍ଷ ତଳେ ହଠାତ ସାଧୁଙ୍କ ମୃତ୍ୟୁ ଘଟିଲା । ସ୍ଵାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିବା ପତ୍ନୀ ସବିତା ମଧ୍ୟ କିଛିଦିନରେ ମୃତ୍ୟୁବରଣ କଲେ । 3 ଭଉଣୀଙ୍କୁ ଅନାଥ କରି ଚାଲିଗଲେ ବାପା ମା । ଏହା ପରେ ଘରର ସମସ୍ତ ଦାୟିତ୍ଵ ପଡିଲା ବଡ ଝିଅ ପିଙ୍କି ଉପରେ। କଲେଜ ଓ ପ୍ରାଥମିକ ସ୍କୁଲରେ ପାଠ ପଢୁଥିବା 2 ଭଉଣୀଙ୍କ ପାଇଁ ଆଶା ବାଡି ପାଲଟିଛନ୍ତି ବଡ ଭଉଣୀ । ସକାଳ ହେଲେ ପର ଘରକୁ କାମ କରିବାକୁ ଯାଆନ୍ତି । ସେଠାରୁ ଯାହା ମିଳେ ସେଥିରେ 2 ଭଉଣୀଙ୍କ ପଢା ଖର୍ଚ୍ଚ ସହ ଘର ଖର୍ଚ୍ଚ କରିଥାନ୍ତି । ଏପଟେ ରହୁଥିବା ଘରର ଅବସ୍ଥା ନକହିବା ଭଲ କେଉଁ ସମୟରେ ଭୁଷୁଡି ପଡିବ କହିହେବ ନାହିଁ, ଭୟଭୀତ ଅବସ୍ଥାରେ ଏହି ଭଙ୍ଗା ଦଦରା ଘର ପାଲଟିଛି ଏହି ତିନି ଭଉଣୀଙ୍କ ଆଶ୍ରୟସ୍ଥଳି । ସରକାରୀ ସହାୟତା ଟିକକ ପାଇଁ ବାରମ୍ଵାର ସରକାରୀ କାର୍ଯ୍ୟାଳୟ ଦୌଡିଦୌଡି ନିରାଶ ।

ଏତିକିରେ ସରିଯାଇନି ସେମାନଙ୍କ ଦୁଃଖ । 8 ବର୍ଷର ସାନ ଝିଅ ରକ୍ତଶିକୁଳି ରୋଗରେ ପିଡିତ । ଏହି ଭଙ୍ଗା ଦଦରା ଘରେ ଗରିବୀ ସହ ଲଢୁଥିବା ବାପା ମାଁ ଛେଉଣ୍ଡ 3 ଝିଅଙ୍କୁ ପଡୋଶୀ ମାନେ ସମୟ ସମୟରେ କିଛି ସାହାଯ୍ୟ କରନ୍ତି ମାତ୍ର ସବୁ ସମୟରେ ସମ୍ଭବ ନୁହେଁ । ଏଣୁ ସରକାରୀ ସ୍ତରରେ ଏହି ଝିଅ ମାନଙ୍କୁ ସାହାଯ୍ୟ ଯୋଗାଇଦେବାକୁ କହିଛନ୍ତି ପଡୋଶୀ । ଅନ୍ୟ ପଟେ ସ୍ଥାନୀୟ ସମାଜସେବୀ କହିଛନ୍ତି ସରକାରୀ ସ୍ତରରେ ଅନେକ ଯୋଜନା ରହିଥିଲେ ମଧ୍ୟ ଏମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଆଖିବୁଜି ଦେଇଛି । ତେବେ ଦୁଃଖର ପାହାଡ ତଳେ ଚାପି ହୋଇ ସରକାରୀ ଯୋଜନାରୁ ବଂଚିତ ଥିବା ଏହି 3 ଭଉଣୀଙ୍କୁ କେବେ ସହାୟତା ମିଳୁଛି ତାହା ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.