ନୂଆପଡ଼ାରେ ପୁଣି ବାଘ ଆତଙ୍କ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଖରିଆର ରୋଡ ରେଞ୍ଜ ହଳଦୀ ଗାଁରେ ଦେଖାଦେଇଛି ବାଘ। ଆଜି ସକାଳେ ଗାଁ ନିକଟ ସାରଦା ମନ୍ଦିର ଚଟାଣରେ ଦୁଇଟି ବାଘକୁ ଗାଁ ଲୋକେ ଦେଖି ଭୟଭୀତ ହୋଇପଡିଛନ୍ତି । ଗତକାଲି ସଂଧ୍ୟାରେ ମଧ୍ୟ ମନ୍ଦିର ଚଟାଣରେ ବାଘ ଦେଖାଦେଇଥିଲେ। ବାଘ ଭୟରେ ଦିନତମାମ ଗାଁ ଶୂନ ଶାନ ହୋଇପଡୁଥିବା ବେଳେ ସନ୍ଧ୍ୟା ହେଲେ ଘରେ ଘରେ ତାଟି କବାଟ ପଡିଯାଉଛି।
୨୦୧୭ ମେ ୨୬ରେ ହଳଦୀ ଗାଁର ୮ ବର୍ଷର ଶିଶୁକୁ ମା’ କୋଳରୁ ବାଘ ଝାମ୍ପି ନେଇଥିଲା। ପରେ ବନବିଭାଗ ଜଙ୍ଗଲରେ ଯନ୍ତା ପକାଇ ଜୁନ ୧୫ ତାରିଖରେ ଗୋଟିଏ ଏବଂ ଅକ୍ଟୋବର ୩୦ରେ ଅନ୍ୟ ଏକ ବାଘକୁ ଧରି ନନ୍ଦନକାନନ ପଠାଇଥିଲେ। ସେବେଠାରୁ ହଳଦୀ ଗ୍ରାମବାସୀ ଆଶ୍ୱସ୍ତ ହୋଇ ନିର୍ଭୟରେ ଜୀବନଯାପନ କରୁଥିଲେ। ଏବେ ପୁଣି ଥରେ ବାଘକୁ ଦେଖିବା ପରେ ଗ୍ରାମବାସୀଙ୍କ ନିଦ ହଜିଯାଇଛି। ଖରିଆର ରୋଡ ବନ ବିଭାଗର ସ୍ୱତନ୍ତ୍ର ଟିମ ହଳଦୀ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବାକୁ ସତର୍କ କରିଛି। ଏହା ସହ ବାଘର ଗତିବିଧି ଉପରେ ବନ କର୍ମଚାରୀ ନଜର ରଖିଛନ୍ତି।