Below header

ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦଘାଟନ ହେବ ୩୯ତମ ବିଶ୍ୱ କବି ମହାକୁମ୍ଭ

ଗାନ୍ଧୀ ଜୟନ୍ତୀ ଅବସରରେ ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦଘାଟନ ହେବ ୩୯ତମ ବିଶ୍ୱ କବି ମହାକୁମ୍ଭ । ପ୍ରଥମ ଥର ଓଡ଼ିଶାରେ ଆୟୋଜନ ହେଉଛି ବିଶ୍ୱ କବି ସମ୍ମିଳନୀ । ଆଜି ବିଶ୍ୱ କବି ସମ୍ମିଳନୀ ଉଦ୍‌ଘାଟିତ ହେବା ସହ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଥିବା ବିଭିନ୍ନ ଦେଶର କବିମାନଙ୍କୁ ନେଇ ଗତକାଲି ମିଟ୍‌ ଆଣ୍ଡ ଗ୍ରିଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କବିମାନେ କିସ୍‌ ପରିଦର୍ଶନ କରିବା ପରେ କିଟ୍‌ ପରିସରରେ ଥିବା ଗ୍ଲାସ ହାଉସରେ ଏକାଠି ହୋଇ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ୩୯ ତମ ବିଶ୍ୱ କବି ସମ୍ମିଳନୀର ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ କବିମାନଙ୍କୁ ସ୍ୱାଗତ ଜଣାଇଥିଲେ । କବିମାନେ କିଟ୍‌ରେ ବିଶ୍ୱ କବି ସମ୍ମିଳନୀ ଆୟୋଜନ ଦେଖି ଖୁସି ହେବା ସହ ଏଥିପାଇଁ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଉଛନ୍ତି ବିଶ୍ୱର ୮୨ ଦେଶରୁ ୧ ହଜାର କବି ଓ ପ୍ରତିନିଧି । ସେହିପରି ଓଡ଼ିଶାରୁ ୫ଶହ କବି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀକୁ ଦୃଷ୍ଟିରେ ରଖି ଚଳିତଥର ବିଶ୍ୱ କବି ସମ୍ମିଳନୀର ବିଷୟ ରହିଛି”କବିତା ମାଧ୍ୟମରେ ଦୟା”। ୩୯ ତମ ବିଶ୍ୱ କବି ମହାକୁମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଣ୍ଡିଆନ୍‌ କାଉନ୍‌ସିଲ ଫର କଲଚରାଲ୍‌ ରିଲେସନ ମହାନିର୍ଦ୍ଦେଶକ ଅଖିଳେଶ ମିଶ୍ର । ୩ ତାରିଖରେ ବୌଦ୍ଧିକ କବିତା ପାଠୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ୪ ତାରିଖ ଦିନ ଅର୍କକ୍ଷେତ୍ର କୋଣାର୍କରେ ଆୟୋଜିତ ହେବ ପର୍ଯ୍ୟଟନ କବିତା ପାଠୋତ୍ସବ । ଓଡ଼ିଶାର ପର୍ଯ୍ୟଟନ ବିଭବ ସମ୍ପର୍କରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା କବିମାନଙ୍କୁ ଅବଗତ କରାଇବା ପାଇଁ ଏଭଳି ଆୟୋଜନ କରାଯାଇଛି । ସେହିପରି ଅକ୍ଟୋବର ୫ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଆଧ୍ୟାତ୍ମିକ କବିତା ପାଠୋତ୍ସବ । ଉଦ୍‌ଯାପନୀ ସମାରୋହ ୬ ତାରିଖରେ କିଟ୍‌ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଦିନ ମଧ୍ୟ ପ୍ରତିଫଳନ କବିତା ପାଠୋତ୍ସବ ହେବ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପଶୁ ସମ୍ପଦ, ମତ୍ସ୍ୟ ଓ ଗୋପାଳନ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେବେ । ଏହି ଅବସରରେ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାଷା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯିବ । ସେହିପରି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ ଜଣଙ୍କୁ ସମ୍ମାନସୂଚକ ଡିପ୍ଲୋମା ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ଗୋଲ୍‌ଡେନ୍‌ ଗ୍ୟାବେଲ୍‌ ପ୍ରଦାନ କରାଯିବ । ଏଥି ସହିତ ପ୍ରଫେସର ଆଚାର୍ଯ୍ୟ ଭାବାନନ୍ଦଙ୍କୁ ସାହିତ୍ୟ ପାଇଁ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯିବ । କିଟ୍‌, କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଶ୍ୱ କବି ମହାକୁମ୍ଭ ଆୟୋଜନ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.