ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଦିଲ୍ଲୀରେ ସ୍କୁଲଗୁଡ଼ିକ ପରେ ଏବେ ଗୃହ ମନ୍ତ୍ରଣାଳୟର ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ଦିଆଯାଇଛି ।

ଦିଲ୍ଲୀରେ ସ୍କୁଲଗୁଡ଼ିକ ପରେ ଏବେ ଗୃହ ମନ୍ତ୍ରଣାଳୟର ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ଦିଆଯାଇଛି । ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଏହି ଇ-ମେଲ୍‌ ମିଳିଥିବା ସୂଚନା ରହିଛି ।

କୁହାଯାଉଛି ଯେ ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଇମେଲ୍‌ ଆସିଥିଲା । ଏହାପରେ ତୁରନ୍ତ ପୋଲିସ ଏବଂ ସୁରକ୍ଷା କର୍ମୀମାନେ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରିଥିଲେ । ଯଦିଓ କିଛି ବି ସନ୍ଦେହଜନକ ଜିନିଷ ମିଳିନାହିଁ । ଏହାପରେ ଦିଲ୍ଲୀ ପୋଲିସ ଏହି ଧମକପୂର୍ଣ୍ଣ ଇମେଲ୍‌କୁ ଫେକ୍‌ ବୋଲି କହିଛି ।

ଏହିପରି କିଛି ଦିନ ତଳେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମା ଧମକ ମିଳିଥିଲା । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ହସ୍ପିଟାଲରୁ ବୋମା ଧମକ ନେଇ ଇମେଲ ମିଳିଥିଲା । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍‌ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ । ବୋମା ଧମକର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ସମସ୍ତ କଲ୍ ଯାଞ୍ଚ କରିଥିଲା ।

ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବୋମା ଓ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିକ୍‌ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ତେବେ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।

ଏହା ପୂର୍ବରୁ ଦିଲ୍ଲୀର ତିହାର ଜେଲ୍‌, ବିମାନବନ୍ଦର ଏବଂ ବିଭିନ୍ନ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଇମେଲ୍‌ ଜରିଆରେ ଏହି ଧମକ ମିଳିଥିଲା । କିନ୍ତୁ ଖୋଜାଖୋଜିରେ କୌଣସି ବି ବିସ୍ଫୋରକ ସାମଗ୍ରୀ ମିଳି ନ ଥିଲା । ସୁରକ୍ଷା ବାହିନୀର ସହାୟତାରେ ସମସ୍ତ ବିଦ୍ୟାଳୟକୁ ଖାଲି କରାଯାଇ ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା । ପରେ ମେଲିଂ ଠିକଣାର ତଦନ୍ତ ଆରମ୍ଭ କରାଯାଇଥିଲା । ପୋଲିସ ଏହି ମାମଲାରେ କୌଣସି ତଥ୍ୟ ପାଇ ନ ଥିଲା ।

Leave A Reply

Your email address will not be published.