ସିଏମ୍‌ଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ‘ସୋସିଆଲ ମିଡିଆରୁ ହଟାଅ ଏହି ଭିଡିଓ’

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରୁ ଏକ ଭିଡିଓ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭିଡିଓ କୋର୍ଟ ଭିତରେ ଏକ ଶୁଣାଣି ସମୟର । ଏଥିରେ ଅରବିନ୍ଦ କେଜ୍ରିୱାଲ କୋର୍ଟ ଭିତରେ ବିଚାରପତିଙ୍କ ସମ୍ମୁଖରେ ନିଜର ଯୁକ୍ତି ଉପସ୍ଥାପନ କରୁଥିବାର ଦେଖାଯାଉଛନ୍ତି ।

ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେବେ କେଜ୍ରିୱାଲଙ୍କୁ ଗିରଫ କରିଥିଲା, ଭିଡିଓଟି ସେହି ସମୟର । ମାର୍ଚ୍ଚ ୨୮ରେ ସିଏମ୍ କେଜ୍ରିୱାଲ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ତାଙ୍କର ପକ୍ଷ ରଖିଥିଲେ ।

କୋର୍ଟ ଭିତରେ କେଜ୍ରିୱାଲଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓକୁ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ରିପୋଷ୍ଟ କରିଥିଲେ, ଯାହା ଉପରେ ବର୍ତ୍ତମାନ ହାଇକୋର୍ଟ ଆପତ୍ତି ଉଠାଇବା ସହ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ କେଜ୍ରିୱାଲଙ୍କ ପତ୍ନୀଙ୍କ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’, ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବକୁ ମଧ୍ୟ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜୁଲାଇ ୯ରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ସେପଟେ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରେ ଶନିବାର ମଦ ଦୁର୍ନୀତି ମାମଲାର ଶୁଣାଣି ହୋଇଥିଲା । କୋର୍ଟ ବର୍ତ୍ତମାନ ଜୁନ୍ ୧୯ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ । ଏହି ଆବେଦନରେ କେଜ୍ରିୱାଲ ତାଙ୍କ ମେଡିକାଲ ଯାଞ୍ଚରେ ପତ୍ନୀ ସୁନୀତାଙ୍କୁ ସାମିଲ କରିବା ନେଇ ଭିସିଙ୍କ ଅନୁମତି ମାଗିଛନ୍ତି ।

ତେବେ ଶୁଣାଣି ସମୟରେ ଜେଲ କର୍ତ୍ତୃପକ୍ଷ କହିଥିଲେ ଯେ କୋର୍ଟଙ୍କ ଆଦେଶର କପି ରାତିରେ ମିଳିଛି । ଏହି ମାମଲାରେ ଉତ୍ତର ଦାଖଲ କରିବା ପାଇଁ ଆମକୁ କିଛି ସମୟ ଦରକାର । ଏହାପରେ କୋର୍ଟ ମାମଲାର ଶୁଣାଣିକୁ ଜୁନ୍ ୧୯ ପାଇଁ ସ୍ଥିର କରିଛନ୍ତି ।

Leave A Reply

Your email address will not be published.