ଓଡ଼ିଶା ସାମ୍ବାଦିକତା ଦିବସ: ଆଜି ଜନ୍ମ ନେଇଥିଲା ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’

ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ। ଆଜିର ଦିନକୁ ଅର୍ଥାତ୍‌ ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା। ଆଉ ସେହିଦିନ ପଡ଼ିଥିଲା ଓଡ଼ିଆ ସମ୍ବାଦପତ୍ରର ମୂଳଦୁଆ।

ଓଡ଼ିଆ ଭାଷାକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ସହ ଓଡ଼ିଶାର ପ୍ରତିଟି ସୁଖ ଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇବା କାମ କରିଥିଲା ଉତ୍କଳ ଦୀପିକା। ସେ ନ’ଅଙ୍କ ଦୁର୍ଭିକ୍ଷ ହେଉ କି ଓଡ଼ିଆ ଭାଷା ଆନ୍ଦୋଳନ, ପ୍ରତିଟି ଖବରକୁ ନିରପେକ୍ଷ ଭାବେ ପ୍ରଚାର ପ୍ରସାର କରିବା ଥିଲା ଉତ୍କଳ ଦୀପିକାର ମୁଖ୍ୟ ଲକ୍ଷ୍ୟ। ସମ୍ବାଦପତ୍ର ଜଗତରେ ଏକ ନୂଆ ଆହ୍ଵାନ ଥିଲା ଉତ୍କଳ ଦୀପିକା। ପ୍ରକାଶନ ଆରମ୍ଭ ଦିନ ଠାରୁ ୧୯୧୭ ମସିହା ଯାଏଁ ଏହାର ସମ୍ପାଦକ ଦାୟିତ୍ୱରେ ଥିଲେ ଗୌରୀଶଙ୍କର ରାୟ। ତାଙ୍କ ଅନ୍ତେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତି ନିଷ୍ଠାର ସହ ତୁଲାଇଥିଲେ।

Gouri

ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଜନମତ ସୃଷ୍ଟି କରିବାରେ ଉତ୍କଳ ଦୀପିକାର ଥିଲା ପ୍ରଧାନ ଭୂମିକା। ଉତ୍କଳ ଦୀପିକା ମାଧ୍ୟମରେ ହିଁ ଅନେକ ସମସ୍ୟାର ସମାଧାନ ହୋଇପାରିଛି। ଗଣମାଧ୍ୟମ କିଭଳି ଭାବେ ଦାୟିତ୍ୱ ନେଇ ସମାଜକୁ ସୁଧାରିପାରେ ତାହା ଉତ୍କଳ ଦୀପିକା ହିଁ ପ୍ରଥମେ ଶିଖାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ନାନା ସମସ୍ୟା ଯୋଗୁ ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା। ଏଥିସହ ନିରବି ଯାଇଥିଲା ପ୍ରଥମ ଓଡ଼ିଶା ସମ୍ବାଦପତ୍ରର ସ୍ୱର।

ତେବେ ଉତ୍କଳ ଦୀପିକା ପରେ ଓଡ଼ିଶାରେ ଆହୁରି ଅନେକ ଛୋଟ ବଡ଼ ଖବର କାଗଜ ମୁଣ୍ଡ ଟେକିଛନ୍ତି। ସେଥିମଧ୍ୟରୁ ଅନେକଙ୍କର ବହୁ ଦବ୍‌ଦବା ବି ରହିଛି। କିନ୍ତୁ ସେତେବେଳ ସମୟ ଭଳି ଖବର ପରିବେଷଣରେ ଆଉ ସକାରାତ୍ମକ ମନୋଭାବ ରହୁନାହିଁ। ଅଧିକାଂଶ ଖବର କାଗଜ ଏବେ ନେତାଙ୍କ ହାତ ବାରିସି ସାଜିଛନ୍ତି, ଯାହା ଗଣମାଧ୍ୟମର ପ୍ରକୃତ ଉଦ୍ଦେଶ୍ୟକୁ ନଷ୍ଟ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Also Read: କିଏ ମଟନ୍‌ ମାଗୁଛି ତ ଆଉ କିଏ କାଜୁ କିସ୍‌ମିସ୍‌, ଇଡି ହେପାଜତରେ ଏସବୁ ଜିନିଷ ଖାଉଛନ୍ତି ପାର୍ଥ ଓ ଅର୍ପିତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.