ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ପୁରୀ ଟାଉନର ହେଲା କଟକଣା କୋହଳ

ପୁରୀ(କେନ୍ୟୁଜ୍): ଶରଧାବାଲିରେ ତିନି ରଥ । ଆଜି ରଥ ଉପରେ ଥିବା ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ । ଗୁଣ୍ଡିଚା ମନ୍ଦିର ଭିତରକୁ ଗୋଟି ପହଣ୍ଡିରେ ଯିବେ ଶ୍ରୀଜୀଉ। ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତି, ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଖଇକୋରା ଭୋଗ ରଥ ଉପରେ କରାଯାଉଛି। ପ୍ରାୟ ଅପରାହ୍ନ ୪ଟା ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟାହିଆ ଲାଗି କରାଯାଇ ଗୋଟି ପହଣ୍ଡି କରାଯିବ । ପରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । ପହଣ୍ଡି ବିଜେକୁ ଭକ୍ତଶୂନ୍ୟ କରିବା ପାଇଁ ଗୁଣ୍ଡିଚା ମନ୍ଦିର ଚତୁପାର୍ଶ୍ୱରେ କଡା କଟକଣା ଲାଗୁ ହୋଇଛି।

ସେପଟେ ରଥଯାତ୍ରା ପାଇଁ ପୁରୀ ଟାଉନରେ ଜାରି ହୋଇଥିବା କଟକଣା କୋହଳ କରାଯାଇଛି। କିନ୍ତୁ କିଛି ଅଞ୍ଚଳରେ କର୍ଫ୍ୟୁ ସମୟ ବଢାଇଦିଆଯାଇଛି। କୁମ୍ଭାରପଡା ସାହିର ମିଶ୍ର ଲେନ୍‌ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ କଟକଣା ଲଗାଯାଇଛି। ଏହି କଟକଣା ଆସନ୍ତାକାଲି ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ । ଶ୍ରୀଜୀଉଙ୍କ ଆଡପ ମଣ୍ତପ ବିଜେ ପହଣ୍ତି ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି ହୋଇଛି। କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଗାଡିକୁ ଛଡାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.