ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ବୀରପୁତ୍ରଙ୍କୁ ମନେ ପକାଉଛି ଓଡ଼ିଶା

କଟକ: ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର ସ୍ବତନ୍ତ୍ରତାକୁ ନୂଆ ଦିଗ ଦେଖାଇଥିବା ଏହି ପରାକ୍ରମୀ ନେତାଙ୍କର ଆଜି ୧୨୮ତମ ଜୟନ୍ତୀ । ନେତାଜୀଙ୍କ ଜନ୍ଦିନକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ନେତାଜୀ ଜୟନ୍ତୀ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରଦାର। ତାଙ୍କ ଜନ୍ମସ୍ଥାନ କଟକ ଓଡିଆ ବଜାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରସ୍ତୁତ ହୋଇରହିଛି ।
ସଂଗ୍ରହାଳୟର ଉଦ୍ୟାନ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲରେ ପୁରି ଉଠିଛି । ୧୨ଟି ଯାକ ଗ୍ୟାଲେରୀ, ନେତାଜୀଙ୍କ ପ୍ରତିମୂର୍ତ୍ତି, ମୁଖ୍ଯ ଫାଟକ ଓ ଘୋଡା ଶାଳ ସବୁ କିଛି ଜୟନ୍ତୀ ପାଇଁ ସୁସଜ୍ଜିତ ହୋଇ ରହିଛି। କଟକର ବିଭିନ୍ନ ସାହି ଓ ଅଂଚଳ ରୁ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ନେତାଜୀ ପ୍ରେମୀ ବାହାରି ଓଡିଆ ବଜାର ସଂଗ୍ରହାଳୟ ଆସିବେ। ସେଠାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।
ସେହିପରି ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜୟନ୍ତୀ । ସମ୍ବଲପୁରର ଜେଲଖାନା ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ରାଜନେତା, ସାଧାରଣ ଜନତାଙ୍କ ସହ ଛାତ୍ରଛାତ୍ରୀମାନେ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଛନ୍ତି । ସୁରେନ୍ଦ୍ର ସାଏ ହେଉଛନ୍ତି ପ୍ରଥମ ମୁକ୍ତି ସଂଗ୍ରାମର ଶେଷ ସଂଗ୍ରାମୀ । ସବୁଠାରୁ ଅଧିକ ଦିନ ଜେଲରେ ରହିଥିବା ସଂଗ୍ରାମୀ । ବ୍ରିଟିଶର୍ସଙ୍କ ବିରୋଧରେ ଗରିଲା ଯୁଦ୍ଧ କରି ନିଦ ହଜାଇ ଦେଇଥିଲେ ।