Below header

ସ୍ୱାଧୀନତା ଦିବସ ପାଇଁ ଟ୍ରାଫିକ୍‌ କଟକଣା : ବିଜ୍ଞପ୍ତି ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ବର : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ସର୍ବସାଧାରଣଙ୍କ ଲାଗି ଲାଗୁ ହେବ ଟ୍ରାଫିକ୍‌ କଟକଣା । ଏନେଇ କମିଶନରେଟ ପୋଲିସ ବିଜ୍ଞପ୍ତି ଜାରି କରିଛି । ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ପରେଡ୍‌ ରିହର୍‌ସାଲ୍‌ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପର୍ୟ୍ୟନ୍ତ ଟ୍ରାଫିକ୍‌ ଉପରେ କଟକଣା ଜାରି କରାଯାଇଛି । ଅଗଷ୍ଟ ୧୧ ଓ ୧୨ତାରିଖ ଅପରାହ୍‌ଣ ୨ଟାରୁ ୫ଟା, ୧୩ ତାରିଖ ସକାଳ ୭ରୁ ସାଢ଼େ ୧୦ଯାଏଁ ପରେଡ ରିହରସାଲ୍‌ କରାଯିବ । ୧୫ ତାରିଖ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସକାଳ ସାଢ଼େ ୬ଟାରୁ ଉତ୍ସବ ଶେଷ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ-୨୦୦୩ ଧାରା ୨୮ ଓ ଟ୍ରାଫିକ୍‌ ରୁଲ୍‌-୩୬ ଅନୁସାରେ ନିର୍ଦ୍ଦେଶନାମା ଜାରି ହୋଇଛି ।

ପରେଡ୍‌ ରିହରସାଲ୍‌ ଓ ଉତ୍ସବ ଦିନ ରାମମନ୍ଦିର ଏବଂ ରାଜମହଲ ଛକ ପଟରୁ ଭାରିଯାନଗୁଡିକୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ୟ୍ୟନ୍ତ ଛଡ଼ାଯିବ ନାହିଁ । କେବଳ ଦୁଇ ଚକିଆ ଯାନବାହନ ଚଳାଚଳ କରିବ । ସେହିପରି ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ରମଣ୍ଡପ ଆଡକୁ ଗାଡ଼ିମୋଟର ଯାଆସ ବନ୍ଦ ରହିବ । ଏଜି ଛକରୁ ପିଏମ୍‌ଜି ଆଡକୁ ଆସୁଥିବା ଗାଡ଼ିଗୁଡିକ ଜୟଦେବ ଭବନରୁ ଇଡକଲ୍‌ ଅଡିଟୋରିୟମ୍‌ ଦେଇ ଯିବେ । ୧୨୦ ବାଟାଲିଅନ୍‌ ଛକରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ଏମ୍‌ଏଲ୍‌ଏ କଲୋନୀ ଦେଇ ୪ ନମ୍ବର ପଟକୁ ଯିବେ । ମହାତ୍ମାଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ଲେନ୍‌ ଓ ବାଇ ଲେନ୍‌ରେ ବନ୍ଦ ରହିବ ଯାନବାହନ ଚଳାଚଳ ।

କେବଳ ପଦଚାରୀଙ୍କୁ ଅନୁମତି ଦିଆଯିବ । ସେହିଭଳି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ବେଳେ ୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ । ସ୍ୱାଧୀନତା ଦିବସର ସକାଳ ସାଢ଼େ ୬ଟାରୁ ରାଜ୍ୟସ୍ତରୀୟ ପରେଡ ଶେଷ ପର୍ୟ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଗ୍ୟାସ ବେଲୁନ୍‌ ବିକ୍ରି ହୋଇପାରିବ ନାହିଁ । ନିୟମକୁ ଉଲ୍ଲଂଘନ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.