ସରୁଛି ଡେଡଲାଇନ୍‌, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ ସମୟ ସୀମା ବୃଦ୍ଧି ପାଇଁ ଚାଲିଛି ବିଚାରବିମର୍ଶ

ଭୁବନେଶ୍ବର(କେନ୍ୟୁଜ୍): ମଝିରେ ରହିଲା ଆଉ ଦୁଇ ଦିନ। ଡେଡଲାଇନ୍‌ ସରୁଛି। ଡିସେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ଥରେ କଡ଼ାକଡ଼ି ହେବ ସଂଶୋଧିତ ମୋଟର ଯାନ ଆଇନ। ତାପୂର୍ବରୁ ଗାଡ଼ି ଚାଳକଙ୍କ ଭିତରେ ଛନକା ପଶିଲାଣି। ଆବଶ୍ୟକ କାଗଜପତ୍ର ପାଇଁ ରାଜ୍ୟର ବିଭିନ୍ନ ଆରଟିଓରେ ଅସମ୍ଭାଳ ଭିଡ଼। ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ତାରାପ୍ରସାଦ ବାହିନୀପତି। ବର୍ତ୍ତମାନ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବାରୁ ସମୟସୀମା ଆଉ ଥରେ ବୃଦ୍ଧି ପାଇଁ ସରକାର ବିଚାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଦେବୀ ମିଶ୍ର କହିଛନ୍ତି, ସନ୍ଧ୍ୟା ହେବା ମାତ୍ରେ ଆରଟିଓ ବନ୍ଦ ହେଉଥିବାରୁ ବହୁ ହଇରାଣ ହେଉଛନ୍ତି ଲୋକ। ସେହିପରି ବିଧାୟକ ତାରା ବାହିନୀପତି କହିଛନ୍ତି, କୋରାପୁଟରେ ମାତ୍ର ୪ଜଣ କର୍ମଚାରୀ ଅଛନ୍ତି। ତନାଘନା ହେଲେ ଲୋକଙ୍କ ସମସ୍ୟା ଆହୁରି ବଢିବ। ତେଣୁ ସମୟ ସୀମା ବଢିବା ଦରକାର ବୋଲି କହିଛନ୍ତି ତାରା ବାହିନୀପତି। ଏନେଇ ରୁଲିଂ ଦେବାକୁ ଦାବି ଜଣାଇଛନ୍ତି ଉଭୟ ଶାସକ ଓ ବିରୋଧୀ ସଦସ୍ୟ। ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ସମୟ ସୀମା ବୃଦ୍ଧି ପାଇଁ ବିଚାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.