ନାଗପୁରରୁ ଘୂରି ଘୂରି ଆସି ଝାରସୁଗୁଡାରେ ପହଁଚିଲା ବିଶାଲ, ତିନି ବର୍ଷ ପରେ ମାଆ ପାଖକୁ ଫେରିଲା ପୁଅ

ମାଆ ଆଖିରେ ଖୁସିର ଲୁହ । ଆଖିର ଧାର ଧାର ଲୁହକକୁ ଲୁଗା କାନିରେ ପୋଛି ପକାଉଛି ମାଆ। ପୁଅ ମିଳିଯାଇଥିବା ଖୁସିରେ ଗୋଡ ତଳେ ଲାଗୁନି। ଝାରସୁଗୁଡା ସହର ନିକଟ ଲହଣ୍ଡାବୁଡ ଗାଁର ମାନସିକ ଭିନ୍ନକ୍ଷମ ନାବାଳକ ବିଶାଲ। ୩ ବର୍ଷ ତଳେ ଘର ଛାଡି କେଉଁଆଡେ ପଳାଇଥିଲା। ଯାହା ପରେ ଶୁଖୁନଥିଲା ପୁଅ ମୁହଁକୁ ଚାହିଁ ବଞ୍ଚୁଥିବା ମାଆର ଲୁହ।

ବିଶାଳର ବାପା ପୁର୍ବରୁ ମାନସିକ ଭିନ୍ନକ୍ଷମ ଥିଲେ ଆଉ ଘର ଛାଡି ପଳାଇଥିବା ବେଳେ ବିଶାଲ ନିଜ ମା ନିକଟରେ ରହୁଥିଲେ। ବହୁ ଦୁଃଖ କଷ୍ଟ ସହି ପିଲାକୁ ମଣିଷ କରିବାକୁ ସ୍ୱପ୍ନ ଦେଖିଥିବା ମା ଆଖିରୁ ସେଦିନ ନିଦ ହଜିଗଲା ଯେଉଁଦିନ ନିଜ ଜନ୍ମ କଲା ପୁଅ କେଉଁଆଡ଼େ ପଳାଇଲା ଆଉ ସବୁଠୁ ବେଶି ଚିନ୍ତା ଘାରୁଥିଲା ପୁଅ ମାନସିକ ଭିନ୍ନକ୍ଷମ ବୋଲି।

ମା ଓ ସଂପର୍କୀୟ ବହୁ ଖୋଜାଖୋଜି କଲେ ଆଉ ଶେଷରେ ନିରାଶ ହୋଇ ଥାନାରେ ଏତଲା ଦେଲେ । କିନ୍ତୁ ଫଳ କିଛି ବି ମିଳିଲାନି । ବିଶାଲ ଝାରସୁଗୁଡାରୁ ଯାଇ ନାଗପୁର ରେଳବାଇ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଚାଇଲ୍ଡ ଲାଇନକୁ ନିଜ ଠିକଣା ଠିକ୍ ଭାବରେ କହି ନପାରିବାରୁ ଅନ୍ଧାରରେ ବାଡି ବୁଲାଇଲା ଭଳି ତାକୁ ଉତ୍ତର ପ୍ରଦେଶ ନିଆଗଲା । କିନ୍ତୁ ସେଠାରେ କିଛି ତଥ୍ୟ ନମିଳିବାରୁ ପୁଣି ନାଗପୁର ଅଣାଯାଇ ସେ କହୁଥିବା ଭାଷାକୁ ଲକ୍ଷ୍ୟ କରିବା ପରେ ଜଣା ପଡିଲା ସେ ଓଡିଶାର ।

ତାକୁ ଭୁବନେଶ୍ଵର ଅଣାଯିବା ପରେ ସେ କଳାହାଣ୍ଡିରେ ଘର ବୋଲି କହିଥିଲା । କିନ୍ତୁ ତାହା ମଧ୍ୟ ଭୁଲ ହେବାରୁ ଅନ୍ଯ ଉପାୟ ନପାଇ ତାକୁ ଖୋର୍ଦ୍ଧାର ଏକ ଚାଇଲ୍ଡ ଲାଇନରେ ରଖାଗଲା । କିଛିଦିନ ରହିବା ପରେ ବିଶାଲର ଫଟୋକୁ ସବୁ ଜିଲ୍ଲାକୁ ପଠା ଯାଇଥିଲା । ଏହାପରେ ଝରସୁଗୁଡା ଚାଇଲ୍ଡ ଲାଇନ ପକ୍ଷରୁ ପିଲାଟିକୁ ଜାଣି ପାରି ତାକୁ ଆଣିବା ବ୍ଯବସ୍ଥା କରାଯାଇଥିଲା। ଚାଇଲ୍ଡ୍ ଲାଇନ ସହାୟତାରେ ଆଜି ବିଶାଲ ଝାରସୁଗୁଡାରେ ପହଞ୍ଚିବା ପରେ ତାକୁ ନେବା ପାଇଁ ତାର ମା ଓ ମାମୁଁ ଶିଶୁ ମଙ୍ଗଳ ସମିତିରେ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.