ବାପା ପରେ କରୋନାରେ ଚାଲିଗଲେ ମା, ଅନାଥ ହୋଇଗଲେ ଯାଆଁଳା ଭାଇ ଓ ଭଉଣୀ

ଝାରସୁଗୁଡା : କରୋନା କାରଣରୁ ବହୁତ ପିଲା ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । କାହାର ମା’ କରୋନାରେ ପ୍ରାଣ ହରାଇଛନ୍ତି ତ ଆଉ କାହାର ବାପାଙ୍କ ଦେହାନ୍ତ ହୋଇଯାଇଛି । ଯେଉଁଥି ପାଇଁ ବହୁ ପିଲା ଖାଦ୍ୟପେୟ ଠାରୁ ଆରମ୍ଭ କରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଅନେକ ପିଲା ବେସାହରା ହୋଇଯାଉଛନ୍ତି । ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଅବଗତ ହୋଇ ସମସ୍ତ ରାଜ୍ୟର ଜିଲ୍ଲା ପ୍ରଶାସନ ଏଭଳି ପିଲାମାନଙ୍କ ଦାୟିତ୍ଵ ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।

ଏ ପରିପେକ୍ଷୀରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳରୁ ଚାଇଲଡ଼ ଲାଇନ ଅସହାୟ ଯାଆଁଳା ଭାଇ ଭଉଣୀ ଦ୍ୱୟଙ୍କୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଉଦ୍ଧାର କରିଛି । ୭ ବର୍ଷର ଏହି ଯମଜ ଭାଇ ଭଉଣୀଙ୍କ ବାପା ୨ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଥିବା ବେଳେ ସପ୍ତାହକ ତଳେ ମା କରୋନାରେ ଚାଲିଯିବା ପରେ ଦୁଇ ଶିଶୁ ଅସହାୟ ହୋଇଯାଇଥିଲେ । ଶିଶୁ ଦ୍ୱୟଙ୍କ ଖାଇବା ପିଇବାରେ ଅସୁବିଧା ହେଉଥିବା ଖବର ପାଇ ଉଦ୍ଧାର କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କୁ ଜଣାଇଥିଲେ ।

ତୁରନ୍ତ ଚାଇଲ୍ଡ ଲାଇନ ସ୍ଥାନୀୟ ସି.ଡି.ପି.ଓ., ୱାର୍ଡ କାଉନସିଲର ଏବଂ ପୂର୍ବତନ ପୌରପାଳିକା ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା କରି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି ବ୍ରଜରାଜନଗର ଥାନାରେ ସୂଚନା ପ୍ରଦାନ କରି ଶିଶୁ ଦ୍ୱୟର କୋଭିଡ଼ ପରୀକ୍ଷା କରାଇଥିଲେ । ନେଗେଟିଭ ରିପୋର୍ଟ ଆସିବା ପରେ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା ଏବଂ ଶିଶୁ ମଙ୍ଗଳ କମିଟିର ନିର୍ଦେଶ କ୍ରମେ ଶିଶୁ ଦ୍ୱୟଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି ।ଅସହାୟ ଶିଶୁ ଦ୍ୱୟଙ୍କ ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ବହନ କରୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.