୧୩ ଦିନ ହେବ ନିଖୋଜ ଥିବା ୨ ଯୁବକଙ୍କ ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର

ଅନୁଗୁଳ(କେନ୍ଯୁଜ୍) : ୧୩ ଦିନ ହେବ ନିଖୋଜ ଥିବା ୨ ଯୁବକଙ୍କ ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର ହୋଇଛି। ଅନୁଗୁଳ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ହତାଶିମିଳି ଗାଁର ସିପୁ ନାୟକ ଓ ଅମୂଲ୍ୟ ନାୟକ ନିଖୋଜ ଥିଲେ। ଗାଁ ନିକଟ ରାଣୀବନ୍ଧ ନାଳ ନିକଟରୁ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଛି। ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ପୋଲିସ ଅନୁମାନ କରୁଛି। ସେପଟେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସିପୁ ଓ ଅମୂଲ୍ୟଙ୍କ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।