ଫୁଲ ତୋଳିବାକୁ ଆସିଥିବା ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଚେନ୍
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଫୁଲ ତୋଳିବାକୁ ଆସିଥିବା ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଚେନ୍ । ଭରତପୁର ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଲୁଟ୍ ହୋଇଛି । ପୂରା ଘଟଣାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ ଅନଶ୍ୱୟା ବେହେରା । ଆଜି ସକାଳୁ ଅନଶ୍ୱୟା ଘର ବାହାରେ ଫୁଲ ତୋଳୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଚେନ୍ ଲୁଟ୍ କରିଥିଲେ । ଜଣେ ଗାଡି ଚଲାଉଥିବା ବେଳେ ଆଉ ଜଣେ ମାରଣାସ୍ତ୍ର ଧରି ଅନଶ୍ୱୟାଙ୍କ ପାଖକୁ ଯାଇଥିଲେ । ପରେ ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍ ଲୁଟି ନେଇଥିଲେ । ଚେନ୍ ଲୁଟ୍ ବେଳେ ପଡୋଶୀ ବାହାରକୁ ଆସିଥିଲେ । ହେଲେ ସେତେବେଳକୁ ଲୁଟେରା ପଳାଇ ଯାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଖୋଳତାଡ ଚଳାଇଛି ।