ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ

କଟକ(କେନ୍ୟୁଜ୍): ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ଜଣ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଉଭୟଙ୍କୁ ଶପଥପାଠ କରାଇବେ । ଓଡ଼ିଶା ହାଇକୋର୍ଟର ଏହି ଦୁଇ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତ ଦେଇଥିବା ସଂକ୍ରାନ୍ତରେ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ନିଯୁକ୍ତି ପାଇଁ ଗୌରୀଶଙ୍କର ଶଥପଥୀ ଓ ଚିତ୍ତରଞ୍ଜନ ଦାଶଙ୍କ ନାଁ ସୁପାରିଶ କରିଥିଲେ ।

ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବେ ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ୧୯୭୨ ମସିହା ଏପ୍ରିଲ ୨୫ରେ ଜନ୍ମଗ୍ରହଣ କରିଥିଲେ । ସେହିପରି ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଚିତ୍ତରଞ୍ଜନ ଦାଶ ୧୯୬୪ ମସିହା ନଭେମ୍ବର ୧୨ରେ ଜନ୍ମଗ୍ରହଣ କରିଥିଲେ । ଏବେ ସେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍‌ ଭାବରେ କାର୍ଯ୍ୟରତ ଥିଲେ । ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୩ । ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୨ ଜଣ ବିଚାରପତି ଅଛନ୍ତି । ନବ ନିଯୁକ୍ତ ଦୁଇ ନୂଆ ବିଚାରପତି ଯୋଗ ଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇବ । ଓଡ଼ିଶା ହାଇକୋର୍ଟରେ ୧ଲକ୍ଷ ୮୦ ହଜାର ମାମଲା ବିଚାରଧୀନ ହୋଇ ପଡ଼ି ରହିଛି । ଆବଶ୍ୟକ ସଂଖ୍ୟକ ବିଚାରପତି ନିଯୁକ୍ତି ଦ୍ୱାରା ମାମଲାର ତ୍ୱରିତ ଶୁଣାଣି ହେବା ସହ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନରେ ସହାୟକ ହୋଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.