୨୫ ବର୍ଷ ତଳର ବାଲେଶ୍ୱର ସହ ପୁରୁଣା ସମ୍ପର୍କକୁ ତାଜା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ, ବାଲେଶ୍ୱରରୁ ପ୍ରାର୍ଥୀ ହୋଇ ପାରନ୍ତି

ଯୋଗ କାର୍ଯ୍ୟକ୍ରମରେ ଅଶ୍ୱିନୀଙ୍କ ବିଭିନ୍ନ ମୁଦ୍ରା ଓ ଅଙ୍ଗଭଙ୍ଗୀ ଦେଖିବାକୁ ମିଳିଲା। ଏହାର ତାଙ୍କ ମନ୍ତବ୍ୟରୁ ବାରି ହୋଇ ପଡୁଥିଲା ୨୪ ନିର୍ବାଚନର ଦୃଷ୍ଟି ଭଙ୍ଗି। କେବଳ ଯୋଗ ଦିବସ ନୁହଁ, ଗତକାଲି ବାଲେଶ୍ୱରରେ ବିଜନେସ୍‌ କମ୍ୟୁନିଟି ସହ କରିଥିଲେ ଆଲୋଚନା। ଉଠାଇଥିଲେ ଅଶ୍ୱିନୀ ଭାଇ କଥା।

ବାଲେଶ୍ୱର(କେନ୍ୟୁଜ୍):  ବାଲେଶ୍ୱରର ଅଶ୍ୱିନୀ ଭାଇ। ସାର୍‌ ଡାକ ନାହିଁ, ଖରାପ ଲାଗୁଛି। ଏହା କହି ୨୫ ବର୍ଷ ତଳର ବାଲେଶ୍ୱର ସହ ପୁରୁଣା ସମ୍ପର୍କକୁ ତାଜା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଯୋଗ ଦିବସ ହେଉ କି, ବିଜିନେସ୍‌ ଗୋଷ୍ଠୀଙ୍କ ସହ କାର୍ଯ୍ୟକ୍ରମ..ସବୁଠି ପୁରୁଣା ସମ୍ପର୍କ ଯୋଡୁଛନ୍ତି। ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢିବେ ଅଶ୍ୱିନୀ ବୈଷ୍ଣବ। ଏ ଚର୍ଚ୍ଚା ଭିତରେ ତାଙ୍କ ଭାବଭଙ୍ଗୀରୁ ସ୍ପଷ୍ଟ ହେଉଛି ସେ ବାଲେଶ୍ୱରରୁ ପ୍ରାର୍ଥୀ ହୋଇ ପାରନ୍ତି। ଅବସର ଥିଲା ଯୋଗ ଦିବସ। ଯୋଗ କାର୍ଯ୍ୟକ୍ରମରେ ଅଶ୍ୱିନୀଙ୍କ ବିଭିନ୍ନ ମୁଦ୍ରା ଓ ଅଙ୍ଗଭଙ୍ଗୀ ଦେଖିବାକୁ ମିଳିଲା। ଏହାର ତାଙ୍କ ମନ୍ତବ୍ୟରୁ ବାରି ହୋଇ ପଡୁଥିଲା ୨୪ ନିର୍ବାଚନର ଦୃଷ୍ଟି ଭଙ୍ଗି। କେବଳ ଯୋଗ ଦିବସ ନୁହଁ, ଗତକାଲି ବାଲେଶ୍ୱରରେ ବିଜନେସ୍‌ କମ୍ୟୁନିଟି ସହ କରିଥିଲେ ଆଲୋଚନା। ଉଠାଇଥିଲେ ଅଶ୍ୱିନୀ ଭାଇ କଥା। କହିଥିଲେ ହୃଦୟରେ ଅଛି ବାଲେଶ୍ୱର। ଆଜି ବି ମନେ ରହିଛି ଫକିର ମୋହନ ସେନପତିଙ୍କ ଗଳ୍ପ। ଜୁନ୍‌ ୨ ବାହାନଗା ଟ୍ରେନ୍‌ ଟ୍ରାଜେଡି ପରେ, ୩ ଦିନ ବାଲେଶ୍ୱରରେ ରହିଥିଲେ ଅଶ୍ୱିନୀ ବୈଷ୍ଣବ। ଏବେ ଦୁଇ ଦିନିଆ ଗସ୍ତ। ଗତକାଲି ସ୍ଥାନୀୟ ଜନସାଧାରଣଙ୍କୁ ଭେଟି ନତମସ୍ତକ ହୋଇ ଧନ୍ୟବାଦ ଦେଲେ। ବାହାନଗା ଟ୍ରାଜାଡିରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ପାଇଁ କୃତଜ୍ଞତା ଜଣାଇ, ସ୍ଥାନୀୟ ଅଂଚଳର ବିକାଶ ପାଇଁ ସାହାଯ୍ୟ ଘୋଷଣା କଲେ। ଏଠାରେ ମଧ୍ୟ ଭାଇ ଭାବେ ଆସିଥିବା କହିଥିଲେ।

ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢିବେ। ଏବେ ଧିରେ ଧିରେ ସ୍ପଷ୍ଟ ହେଉଛି ସେ ବାଲେଶ୍ୱରରୁ ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା ଅଧିକ। ୧୯୯୯ରୁ ୨୦୦୧ ଯାଏ ବାଲେଶ୍ୱର ଜିଲ୍ଲାପାଳ ଥିଲେ ଅଶ୍ୱିନୀ ବୈଷ୍ଣବ। ଆଉ ସେହି ସମୟକୁ ନେଇ ବାଲେଶ୍ୱର ସହ ସମ୍ପର୍କ ଯୋଡ଼ି ଚାଲିଛନ୍ତି କେନ୍ଦ୍ର ମନ୍ତ୍ରୀ। ବର୍ତ୍ତମାନ ବାଲେଶ୍ୱରରୁ ସାଂସଦ ଅଛନ୍ତି ବିଜେପିର ପ୍ରତାପ ଷଡ଼ଙ୍ଗୀ। ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି ବାଲେଶ୍ୱର ଗସ୍ତରେ, ପ୍ରତାପ ଷଡ଼ଙ୍ଗୀ ସାଥିରେ ରହୁଛନ୍ତି। ଚର୍ଚ୍ଚା ହେଉଛି, ଯଦି ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ଲୋକସଭା ପାଇଁ ପ୍ରାର୍ଥୀ ହୁଅନ୍ତି ତେବେ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ବିଧାନସଭା ଆସନରେ ପ୍ରାର୍ଥୀ କରିପାରେ। କାରଣ ପୂର୍ବରୁ ନୀଳଗିରିର ବିଧାୟକ ଥିଲେ ପ୍ରତାପ ଷଡ଼ଙ୍ଗୀ। ଲୋକସଭା ନିର୍ବାଚନକୁ ବର୍ଷେରୁ କମ୍‌ ସମୟ। ଆଉ କିଛି ସମୟରେ ସ୍ପଷ୍ଟ ହେବ ଚିତ୍ର, କେଉଁ ନେତା କେଉଁ କ୍ଷେତ୍ରରୁ ଲଢିବେ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.