ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଶୋକ

ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

କେନ୍ୟୁଜ୍(ବ୍ୟୁରୋ): ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି। ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମ ବେଦନା ଜଣାଇ ଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ:

ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଶ୍ରୀ ପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଭଲ ବନ୍ଧୁ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ । ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗଭୀର ଶୋକ:

ପୂର୍ବତନ ବାଚସ୍ପତି, ମନ୍ତ୍ରୀ, ଦିଗପହଣ୍ଡିର ବିଧାୟକ ତଥା ବରିଷ୍ଠ ନେତା ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ   କରିଛନ୍ତି । ମନ୍ତ୍ରୀ ଶ୍ରୀମତୀ ସାହୁ  ଶୋକ ବାର୍ତ୍ତାରେ କହିଛନ୍ତି ଯେ,  ଜଣେ ସୁଦକ୍ଷ, ସାଙ୍ଗଠନିକ ଦକ୍ଷତା ସମ୍ପନ୍ନ ତଥା ଦରଦୀ ନେତା ଭାବେ ସ୍ବର୍ଗତ ପାତ୍ରଙ୍କର ଲୋକପ୍ରିୟତା ଅନନ୍ୟ ରହିଥିଲା । ବହୁ ବାର ବିଧାନ ସଭାକୁ ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ରାଜସ୍ବ, ଜଙ୍ଗଲ, ପରିବେଶ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ସୂଚନା ଓ ପ୍ରଯୁକ୍ତି ଶକ୍ତି ଆଦି ଏକାଧିକ ବିଭାଗରେ ମନ୍ତ୍ରୀ ହୋଇଥିଲେ ।

ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କର ବିୟୋଗ ରାଜ୍ୟ ପାଇଁ  ଅପୂରଣୀୟ କ୍ଷତି ।  ମନ୍ତ୍ରୀ  ଟୁକୁନି ସାହୁ  ସ୍ବର୍ଗତ ପାତ୍ରଙ୍କ ଅମରାତ୍ମାର ସଦଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ବିଜେପି ରାଜ୍ୟ ସଭାପତିଙ୍କ ଶୋକ:

ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା  ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।

ବରିଷ୍ଠ ରାଜନେତା ସ୍ୱର୍ଗତଃ ଶ୍ରୀ ପାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

ସଞ୍ଜୟ ଦାସବର୍ମାଙ୍କ ଶୋକ:

ପୂର୍ବତନ ବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି। ଲୋକଙ୍କ ପ୍ରଗତି ଓ ଉନ୍ନତି କ୍ଷେତ୍ରରେ କରିଯାଇଥିବା କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ବିୟୋଗ ବିଜୁ ଜନତା ଦଳ ପାଇଁ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

ମହମ୍ମଦ ମୋକିମଙ୍କ ଶୋକ:

ପୂର୍ବତନ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ ଗତି କାମନା କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.