ପୁରୀରେ ସମ୍ପନ୍ନ ହେବ ଦାମୋଦର ରାଉତଙ୍କ ଶେଷକୃତ୍ୟ, ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଦାମୋଦର ରାଉତଙ୍କ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ଯିବ । ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଶେଷ ଦର୍ଶନ କରିବେ । ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ପରେ ଦାମଙ୍କ ମରଶରୀରକୁ ସିଧା ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ୱର(କେନ୍ୟୁଜ): ଆଉ ନାହାନ୍ତି ବର୍ଷିଆନ୍ ରାଜନେତା ଦାମୋଦର ରାଉତ । ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଭୋରରେ ଦେହାନ୍ତ ହୋଇଥିବା ନେଇ ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ସୂଚନା ଦେଇଛନ୍ତି ।

ଅସୁସ୍ଥ ହୋଇ ଗତ କିଛି ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିଲେ ଦାମୋଦର ରାଉତ । ହୃଦଘାତ ପରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଥିଲା ଚିକିତ୍ସା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସାରେ ଲାଗିଥିଲେ । ବହୁ ଉଦ୍ୟମ ସତ୍ତ୍ବେ ଜୀବନ ବଞ୍ଚା ଯାଇପାରିଲାନି । ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।

୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ:

ଭେଟେରାନ୍ ଦାମୋଦର ରାଉତ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜନତା ଦଳରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିଅର। ଜନତାଦଳର ବିଭାଜନ ପରେ ସେ ବିଜୁ ଜନତା ଦଳରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୫ଥର ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓ ୨ଥର ପାରାଦୀପ ଆସନରୁ ବିଜୟୀ ହୋଇଥିଲେ ଦାମୋଦର ରାଉତ ।

୧୯୭୭ରେ ପ୍ରଥମ ଥର ପାଇଁ ଏରସମା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଶେଷଥର ପାରାଦୀପ ଆସନରୁ ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ବିଭିନ୍ନ ମନ୍ତ୍ରିମଣ୍ଡଳରେ ସେ ସୂଚନା ଓ ଲୋକସଂପର୍କ ବିଭାଗ, ପଞ୍ଚାୟତି ରାଜ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ସଂସ୍କୃତି, କୃଷି, ଅବକାରୀ ଭଳି ୧୫ଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ନିର୍ବାହ କରିଥିଲେ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରଭାବିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ:

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରଭାବିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ ଦାମ ରାଉତ। ବିଜୁବାବୁଙ୍କ ଏକାନ୍ତ ଅନୁଗତ ଭାବେ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୧ରେ ବିବାଦୀୟ ମନ୍ତବ୍ୟ ଦେଇ ସେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିଲେ। କିନ୍ତୁ ୨୦୧୨ରେ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରାଯାଇଥିଲା । ୨୦୧୮ ସେପ୍ଟେମ୍ବରରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା ।

ଏହା ପରେ ସେ ବିଜେପିରେ ଯୋଗ ଦେଇ ୨୦୧୯ରେ ବାଲିକୁଦା -ଏରସମା ଆସନରୁ ନିର୍ବାଚନ ଲଢିଥିଲେ। କିନ୍ତୁ ସେଠାରୁ ପରାଜିତ ହୋଇଥିଲେ। ୨୦୨୪ ଜାନୁଆରୀ ୧ତାରିଖରେ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଥିଲା ବିଜେଡି। ଦାମ ରାଉତଙ୍କର ରହିଥିଲା ପ୍ରାୟ ୫୦ ବର୍ଷର ରାଜନୈତିକ ଅଭିଜ୍ଞତା । ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି ।

ପୁରୀରେ ହେବ ଶେଷକୃତ୍ୟ:

ତେବେ ଦାମୋଦର ରାଉତଙ୍କ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ଯିବ । ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଶେଷ ଦର୍ଶନ କରିବେ । ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବେ । ବିଧାନସଭା ସଭାରେ ଦାମ ରାଉତଙ୍କ ପାର୍ଥିବଶରୀରକୁ ଗାର୍ଡ ଅଫ ଅନର ଦିଆଯିବ । ଦାମଙ୍କ ମରଶରୀରକୁ ସିଧା ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

cm

ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:

ଏପଟେ ଦାମୋଦର ରାଉତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ୍ ମିଡିଆ Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣନୀୟ କ୍ଷତି । ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବରିଷ୍ଠ ରାଜନେତାମାନେ ପହଁଚି ଶେଷ ଦର୍ଶନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.