ପାଣିରେ ନିଖୋଜ ଥିବା ଲୋକଙ୍କୁ ଖୋଜିବ ଭିକ୍ଟିମ୍ ଲୋକେସନ କ୍ୟାମେରା, ଅଗ୍ନିଶମ ବାହିନୀକୁ ମିଳିବ ସାହାଯ୍ୟ

ଏଣିକି କେହି ପାଣିରେ ବୁଡ଼ିଲେ ଅଗ୍ନିଶମ ବାହିନୀକୁ ଖୋଜିବା ପାଇଁ ଅଧିକ ସମୟ ଲାଗିବନି । କାରଣ କଟକରେ ନୂଆ କରି ଆସିଛି ଭିକ୍ଟିମ୍ ଲୋକେସନ କ୍ୟାମେରା ।

କଟକ (କେନ୍ୟୁଜ୍‌):ପାଣିରେ କେହି ବୁଡ଼ିଗଲେ ତାକୁ ଉଦ୍ଧାର କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । ଏହି ସମୟ ଭିତରେ ଯେ କେହି ବି ପାଣିରେ ବୁଡ଼ିଥାଏ ତା ଜୀବନ ଯାଏ । ପାଣିରେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିବା ସହଜ ନୁହେଁ, କାରଣ ପାଣି ଭିତରେ କିଛି ବି ଦେଖାଯାଏ ନାହିଁ । କିନ୍ତୁ ଏବେ ଟେକ୍ନୋଲୋଜି ସାହାଯ୍ୟରେ ଏ ସମସ୍ୟା ବି ଦୂର ହେବ । ଏଣିକି କେହି ପାଣିରେ ବୁଡ଼ିଲେ ଅଗ୍ନିଶମ ବାହିନୀକୁ ଖୋଜିବା ପାଇଁ ଅଧିକ ସମୟ ଲାଗିବନି । କାରଣ କଟକରେ ନୂଆ କରି ଆସିଛି ଭିକ୍ଟିମ୍ ଲୋକେସନ କ୍ୟାମେରା । ଯାହାକି ୨୦ ରୁ ୨୫ ଫୁଟ୍ ଗଭୀର ପାଣିରେ ବୁଡ଼ି ଯାଇଥିବା ବ୍ୟକ୍ତିକୁ ଖୋଜି ଖୋଜି ବାହାର କରିଦେବ । ସେହିଭଳି ଧୂଆଁମୟ ପରିବେଶରେ ଅଗ୍ନିଶମ ବାହିନୀକୁ ସହଯୋଗ କରିବ ସ୍ମୋକ୍‌ କ୍ୟାମେରା । ତେବେ ଏହି କ୍ୟାମେରାର ଷ୍ଟିକ୍ ବେଶ୍ ଲମ୍ବା ଯାହା ଅଗ୍ନିଶମ ବାହିନୀକୁ ସହଯୋଗ କରିବ ।

ପ୍ରଥମ କରି କଟକ ଅଗ୍ନିଶମ ବାହିନୀ ପାଖକୁ ଆସିଲା ଭିକ୍ଟିମ୍ ଲୋକେସନ କ୍ୟାମେରା ଏବଂ ସ୍ମୋକ୍‌ କ୍ୟାମେରା । ଗଭୀର ଜଳରାଶି ହେଉ ଅବା ନିଆଁ ଲାଗିଯାଇଥିବା ସ୍ଥାନ ହେଉ ଏବେ ଏହି ଦୁଇ କ୍ୟାମେରା ଦେଖାଇବେ ନିଜ ନିଜର ଦକ୍ଷତା । ତେବେ ଭିକ୍ଟିମ୍ ଲୋକେସନ କ୍ୟାମେରା ଗତ ଦୁଇଦିନ ଧରି ତାର କମାଲ ଦେଖାଉଛି । କଟକ ତୁଳସୀପୁର ହାତୀଗଡା ଠାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଦଶାହ କର୍ମରେ ତାଙ୍କ ୨୧ ବର୍ଷୀୟ ନାତି ପାଣିରେ ବୁଡ଼ି ଜୀବନ ଯାଇଥିଲା । ଆଉ ତତ୍ କ୍ଷଣାତ୍ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨୦ ରୁ ୨୫ ଫୁଟ୍ ଗଭୀର ଜଳରାଶିରେ ଭିକ୍ଟିମ୍ ଲୋକେସନ କ୍ୟାମେରା ବ୍ୟବହାର କରି ଯୁବକଙ୍କ ମୃତଦେହକୁ ଅତି କମ ସମୟରେ ଉଦ୍ଧାର କରିଥିଲେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଚାରୋଟି ସ୍ଥାନରେ ହାତୀଗଡ଼ା, ବାରଙ୍ଗ, ସୁନ୍ଦରଗଡ଼ ଆଦି ସ୍ଥାନରେ ଭିକ୍ଟିମ୍ ଲୋକେସନ କ୍ୟାମେରା ତାର କାର୍ଯ୍ୟଦକ୍ଷତା ସଠିକ୍ ଭାବରେ ଦେଖାଇଛି ।

ଭିକ୍ଟିମ୍ ଲୋକେସନ କ୍ୟାମେରାକୁ ଅପରେଟ କରୁଥିବା କଟକ ଫାୟାର ଷ୍ଟେସନର କର୍ମଚାରୀ ଧିରେନ୍ କୁମାର ବାରିକ୍ କହିଛନ୍ତି ସେ ଭିକ୍ଟିମ୍ ଲୋକେସନ କ୍ୟାମେରାକୁ ଚାରୋଟି ସ୍ଥାନରେ ବ୍ୟବହାର କରି ସଫଳତା ହାସଲ କରିଛନ୍ତି । ଏହି କ୍ୟାମେରା ସ୍ଥିର ପାଣିରେ ଭଲ କାର୍ଯ୍ୟ କରୁଥିବା ବେଳେ ବହି ଯାଉଥିବା ପାଣିରେ କ୍ୟାମେରା ଭଲରେ ଦେଖାଯାଇ ନଥାଏ । ତେବେ ଭିକ୍ଟିମ୍ ଲୋକେସନ କ୍ୟାମେରା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇଥିବା ବେଳେ ସ୍ମୋକ୍‌ କ୍ୟାମେରା ଏବେ ପର୍ଯ୍ୟନ୍ତ ଆବଶ୍ୟକ ପଡ଼ିନାହିଁ । ଆବଶ୍ୟକ ପଡ଼ିଲେ ଏହି ସ୍ମୋକ୍‌ କ୍ୟାମେରା ବି ଅଗ୍ନିଶମ ବାହିନୀ ପାଇଁ ସହାୟକ ହେବ ।

ଭିକ୍ଟିମ୍ ଲୋକେସନ କ୍ୟାମେରା ସଫଳତା ହାସଲ କରି ସାରିଥିବା ବେଳେ ସ୍ମୋକ କ୍ୟାମେରା ଭବିଷ୍ୟତରେ କେତେ ସଫଳତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା । ଏହି କ୍ୟାମେରାଗୁଡ଼ିକ ସାହାଯ୍ୟରେ ଲୋକଙ୍କୁ ପାଣି ଓ ନିଆଁରୁ ବଞ୍ଚାଇ ହେବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.