ବହିଷ୍କୃତ କୁବେର କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଚଳାଚଳ ସମ୍ପତ୍ତି, ଜାଣିଲେ ଆଖି ଟେରା ହୋଇଯିବ

ଭୁବନେଶ୍ବର(କେନ୍ଯୁଜ୍):ବହିଷ୍କୃତ କୁବେର କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଚଳାଚଳ ସମ୍ପତ୍ତି । ୧୮ ହଜାର ବର୍ଗଫୁଟ ଜାଗାରେ ଠିଆ ହୋଇଛି ୨ କୋଟିରୁ ଅଧିକ ଟଙ୍କାର ବିଲଡିଂ । ନୂଆପଡ଼ାରେ ରହିଛି ୪୫ ଲକ୍ଷ ଟଙ୍କାର ଏକ ପ୍ଲଟ୍‌ ।

ସୁନ୍ଦରପଦାରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍‌, ପ୍ରସନ୍ନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ବୀମା, ୩୦ ଲକ୍ଷରୁ ଅଧିକ ଟଙ୍କାର ୪ଟି ଚାରି ଚକିଆ ଦାମୀ ଗାଡ଼ି, ୨ଟି ବାଇକ୍‌ ଏବଂ ୨୧ଟି ବ୍ୟାଙ୍କ୍‌ ପାସ୍‌ବୁକ୍‌ ଜବତ କରିଛି ଭିଜିଲାନ୍ସ । ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍‌ କରି ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

ସୂଚନା ଥାଉକି, ଭିଜିଲାନ୍ସ ଜାଲରେ ପଡିଛନ୍ତି ଭୁବନେଶ୍ୱର କମିସନରେଟ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ ବେହେରା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ଘରେ ରେଡ୍‌ ଗତକାଲି କରିଥିଲା ଭିଜିଲାନ୍ସ ଟିମ୍‌ । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିଲା । ଭୁବନେଶ୍ୱର କଳ୍ପନା ଛକ ଘର, ଡୁମଡୁମାର ସ୍ପାର୍କ ଫର୍ନିଚର, ଲିଙ୍ଗିପୁର ଫର୍ଣ୍ଣିଚର ଓ୍ଵାର୍କସପ, ପାତ୍ରପଡା ସ୍ଥିତ ସାଉଥ ସିଟି ବାର୍‌ ସମେତ ପୈତୃକ ଘର ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଏକ କାଳୀନ ଚଢାଉ କରୁଛି ଭିଜିଲାନ୍ସର ୫ ଟିମ ।

ଟିମ୍‌ରେ ୨ ଡିଏସପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ରହିଥିଲେ। ପୂର୍ବରୁ ଚାକିରୀରୁ ବିଦା ହୋଇଥିଲେ ପ୍ରସନ୍ନ ବେହେରା । ବିନା ଲାଇସେନ୍‌ସରେ ଭୁବନେଶ୍ୱର ପାତ୍ରପଡ଼ା ସାଉଥ ସିଟି ବାର୍‌ ଚଳାଇବା ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଥିଲା । ଗତ ସେପ୍ଟେମ୍ବରରୁ ସରିଥିଲା ସାଉଥ ସିଟି ବାରର୍‌ ଲାଇସେନ୍‌ସ ଅବଧି।

ତଥାପି ବେଧଡକ ଭାବେ ବିଳମ୍ବିତ ରାତିଯାଏ ଖୋଲୁଥିଲା ବାର୍‌ । ଉଡୁଥିଲା ପୁଳା ପୁଳା ଟଙ୍କା, ଝୁମୁଥିଲେ ଗ୍ରାହକ। କୋଭିଡ କର୍ଫ୍ୟୁର ଉଲ୍ଲଂଘନ ସହ ଅବକାରୀ ଆଇନ ଅନୁଯାୟୀ ଥାନାରେ ରୁଜୁ ହୋଇଥିଲା। ମନୀଷ ଅନୁରାଗ ହତ୍ୟା ମାମଲାରେ ତଦନ୍ତ ବେଳେ ସାଉଥ ସିଟି ବାର୍‌ର କାରନାମା ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.