ନବରଙ୍ଗପୁର: ମଦମୁକ୍ତ ଗାଁରେ ପସିଥିଲେ ୨ ମଦ୍ୟପ, ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ

ନବରଙ୍ଗପୁର(କେନ୍ୟୁଜ୍): ମଦମୁକ୍ତ ଗାଁରେ ପସିଥିଲେ  ୨ ମଦ୍ୟପ ବ୍ୟକ୍ତି, ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ। ଗାଁ ଭିତରକୁ ମଦୁଆଙ୍କୁ ପ୍ରବେଶ ନିଷେଧ ଜାରି କରି ମଦମୁକ୍ତ ଗ୍ରାମ କରିବାକୁ ନିଷ୍ପତି ନେଇଥିଲେ ଗ୍ରାମବାସୀ। କିନ୍ତୁ ଏହାକୁ  ନମାନି ଗାଁ ମଧ୍ୟକୁ ଦୁଇ ମଦ୍ୟପ ବ୍ୟକ୍ତି ପସିଥିବାରୁ ଗାଁ ଲୋକେ ମିଶି  ୨ ମଦ୍ୟପଙ୍କୁ ଗାଁ ମଝିରେ ଥିବା ଖୁଣ୍ଟରେ ବାନ୍ଧି ରଖିଥିଲେ। ପରେ କୋଡ଼ିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଉଭୟଙ୍କୁ ଉଦ୍ଧାର କରିଥିଲା ।

ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସର୍ଗିଗୁଡା  ଗାଁରେ ।  ଗାଁ ଲୋକଙ୍କ ନିଷ୍ପତି ଅନୁଯାୟୀ  ଗାଁରେ କାହାରିକୁ ମଦ ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ କି ମଦ ପିଇ କେହିବି ସର୍ଗିଗୁଡା ଗାଁକୁ ପ୍ରବେଶ କରିବେ ନାହିଁ  । କେହି ଯଦି ଏହି  ନିୟମର ଉଲଘଂନ  କରେ ତେବେ ପ୍ରଥମ ଭୁଲରେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ, ଦ୍ବିତୀୟ ଭୁଲରେ ଗାଁ ମଝି ଖୁଣ୍ଟରେ ବନ୍ଧା ହେବ ବୋଲି କଟକଣା ଜାରି ହୋଇଥିଲା। କିନ୍ତୁ ଏହାକୁ ବେଖାତିର କରି ଦ୍ବିତୀୟ ଭୁଲ କରିଥିବା ଦୁଇ ଜଣ  ମଦ୍ୟପଙ୍କୁ  ଖୁଣ୍ଡରେ ବାନ୍ଧିଥିଲେ ଗ୍ରାମବାସୀ। ଯାହାଙ୍କୁ କୋଡ଼ିଙ୍ଗା ଥାନା ଅଧିକାରୀ ଉଦ୍ଧାର କରିଥିଲେ।  ଗ୍ରାମବାସୀ ମାନେଏହି ଭଳି ନିୟମ କରିବା ଦିନଠାରୁ ଗାଁରେ ମଦୁଆମାନଙ୍କ ଦୌରାମ୍ୟ କମିବାରେ ଲାଗିଛି।ଏହା ପୂର୍ବରୁ ଗ୍ରାମରେ ମଦ ବିକ୍ରିକୁ ବିରୋଧ କରି ଗ୍ରାମବାସୀ  ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ କୋଡ଼ିଙ୍ଗା ଥାନା ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ । ଆଜି ଦୁଇଜଣ ମଦୁଆଙ୍କୁ ଗ୍ରାମବାସୀ ବାନ୍ଧି ରଖିଥିବା ଖବର ପାଇ କୋଡ଼ିଙ୍ଗା ଥାନା ଅଧିକାରୀ  ସେମାନଙ୍କୁ ଉଦ୍ଧାର କରିଥିଲେ । ଏବଂ ଆଇନ ହାତକୁ ନ ନେବାପାଇଁ ଗ୍ରାମବାସୀଙ୍କୁ  ତାଗିଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.