Below header

ଗଛକଟାକୁ କେନ୍ଦ୍ର କରି ମାରପିଟ୍ : ଗ୍ରାମବାସୀ ଏବଂ ଫରେଷ୍ଟ ଗାର୍ଡଙ୍କ ମଧ୍ୟରେ ଧସ୍ତାଧସ୍ତି, ଭିଡିଓ ଭାଇରାଲ

ଗଛ କଟାକୁ କେନ୍ଦ୍ର କରି ମାରପିଟ। ଗ୍ରାମବାସୀ ଏବଂ ଫରେଷ୍ଟ ଗାର୍ଡଙ୍କ ମଧ୍ୟରେ ପିଟାପିଟି ଏବଂ ଧସ୍ତାଧସ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ବାଙ୍ଗିରିପୋଷି ବନାଞ୍ଚଳ ପାକଟିଆ ଜଙ୍ଗଲରେ।

ବାଙ୍ଗିରିପୋଷି (କେନ୍ୟୁଜ): ବନ କର୍ମଚାରୀ ଜଙ୍ଗଲରୁ ଗଛ କାଟି ନେଉଥିଲେ । ତାଙ୍କୁ ରୋକିଲେ ଗାଁ ଲୋକେ । ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଛି । ଏଭଳି ଏକ ଭାଇରାଲ ଭିଡିଓ ଏବେ ମୟୁରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି । ଜିଲ୍ଲାର ବାଙ୍ଗରିପୋଷି ବନାଞ୍ଚଳ ଅଧୀନରେ ଥିବା ଯୋକା ବିଟ୍ ଅନ୍ତର୍ଗତ ପାକଟିଆ ଜଙ୍ଗଲରେ ଗଛ କଟାକୁ କେନ୍ଦ୍ର କରି ମାରପିଟ ଲାଗିଛନ୍ତି ଫରେଷ୍ଟ ଗାର୍ଡ ଓ ସ୍ଥାନୀୟ ଗ୍ରାମବାସୀ ।

ସୂଚନା ଅନୁସାରେ, ଯୋକା ବିଟରେ କାର୍ଯ୍ୟରତ ବୁଧୁରାମ ସିଂ ନାମକ ବନ କର୍ମଚାରୀ ଜଙ୍ଗଲରୁ ଶାଳ ଗଛ କାଟୁଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚିଥିଲେ । ଗଛ କଣ ପାଇଁ କାଟୁଛ କହି ବିରୋଧ କରିବାରୁ ସେମାନଙ୍କୁ ବନ କର୍ମଚାରୀ ଧମକ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଗଛ ଆମେ ଜଗିଛୁ , ସେ ଆମର ଛୁଆ ଭଳି । ତୁମେ କାହିଁକି କାଟୁଛ ବୋଲି କହିଥିଲେ । ତେବେ ବୁଧୁରାମ ସେମାନଙ୍କ କଥା ଶୁଣି ନଥିଲେ । ଫଳରେ ପରସ୍ପର ଭିତରେ ଧସ୍ତାଧସ୍ତି ସହ ମାରପିଟ ହୋଇଥିଲା ।

ତେବେ ଯାହା ଜଣାପଡ଼ିଛି ଏପର୍ଯ୍ୟନ୍ତ ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଅନ୍ୟପକ୍ଷେ ବନପାଳ ଅଭିନାଶ ଗିରି ଓଲଟା କଥା କହିଛନ୍ତି । ଗ୍ରାମବାସୀମାନେ ଗଛ କାଟୁଥିବା ଖବର ପାଇଁ କର୍ମଚାରୀମାନେ ରୋକିବାକୁ ଯାଇଥିଲେ। ତେବେ ଘଟଣାର ତଦନ୍ତ କରିବେ ବୋଲି ରେଞ୍ଜ ଅଧିକାରୀ ମହେଶ୍ୱର ସିଂ କହିଛନ୍ତି । ଏଠି ସୂଚନା ଦେଉଛୁ କି କିଛିମାସ ପୂର୍ବରୁ ସମାନ କର୍ମଚାରୀ ଜଣକ ଏକ କାଠ ବୋଝେଇ ଟ୍ରାକ୍ଟର ଡିଲ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ ହେବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.