କାହିଁକି ବାଂଲାଦେଶରେ ଅଗ୍ନିକାଣ୍ଡ ଘଟିବା ଏକ ସାଧାରଣ ଘଟଣା, ଜାଣନ୍ତୁ କାରଣ

ବାଂଲାଦେଶ ରାଜଧାନୀ ଢାକାର ବେଲି ରୋଡ୍ ରେ ଥିବା ଏକ ୭ ମହଲା କୋଠାରେ ଗୁରୁବାର ରାତିରେ ନିଆଁ ଲାଗି ଯାଇଥିଲା । ଏହି ବିଲ୍ଡିଂରେ ଏକ ବିରିଆନି ରେଷ୍ଟୁରାଣ୍ଟ ଥିଲା । ରେଷ୍ଟୁରାଣ୍ଟକୁ ହଠାତ୍ କବଳିତ କରିଥିଲା ନିଆଁ ।

ବାଂଲାଦେଶ (କେନ୍ୟୁଜ): ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ । ୪୪ ଜଣ ଜୀବନ୍ତ ଦଗ୍ଧ । ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ହେବା ଫଳରେ ୪୪ ଜଣଙ୍କ ଜୀବନ ଯାଇଥିବା ବେଳେ , ୨୨ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ବେଲି ରୋଡ୍ ରେ ଥିବା ଏକ ୭ ମହଲା କୋଠାରେ ନିଆଁ ଲାଗି ଯାଇଥିଲା ।

ପ୍ରଥମେ ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗି ଯାଇଥିଲା । ଏହାପରେ ହୁ ହୁ ହୋଇ ଉପର ମହଲାକୁ ବ୍ୟାପି ଯାଇଥିଲା । ଫଳରେ ବାହାରି ପାରି ନଥିଲେ ଗ୍ରାହକ । ରେଷ୍ଟୁରାଣ୍ଟରେ ରାତ୍ରି ଭୋଜନ ସେମାନଙ୍କ ପାଇଁ ଶେଷ ଭୋଜନ ହୋଇଥିଲା । ଢାକା ମେଡିକାଲ କଲେଜ ହସ୍ପିଟାଲରେ ୩୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ହସ୍ପିଟାଲରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି । କିଛି ଲୋକ ନିଆଁରେ ପୋଡ଼ି ହୋଇ ଏବଂ ଆଉ କିଛି ଶ୍ବାସରୁଦ୍ଧ ହୋଇ ମରିଥିବା ବେଳେଳ ଅନେକ ଲୋକ ଭୟରେ କୋଠା ଉପରୁ ଡେଇଁ ପଡ଼ିଥିବା କୁହାଯାଉଛି  ।

ଦୁଇ ଘଣ୍ଟା ମଧ୍ୟରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ:

ଅଗ୍ନିଶମ ବିଭାଗର ଅଧିକାରୀ ମହମ୍ମଦ ଶିହାବ କହିଛନ୍ତି ଯେ, ଗୁରୁବାର ରାତିରେ ଢାକା ବେଲି ରୋଡରେ ଥିବା ଏକ ଲୋକପ୍ରିୟ ବିରିୟାନି ରେଷ୍ଟୁରାଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଏବଂ ଏହା ଖୁବ୍ ଶୀଘ୍ର ଉପର ମହଲା ଯାଏ ବ୍ୟାପି ଯାଇଥିଲା । ବହୁ ଲୋକ ଏହି ନିଆଁ ଫାଶରେ ପଡିଯାଇଥିଲେ । ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

ତେବେ ଦୁଇ ଘଣ୍ଟା ମଧ୍ୟରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ବୋଲି ସେ କହିଛନ୍ତି । ସେମାନେ ପାଖାପାଖି ୭୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ ବୋଲି ଅଗ୍ନିଶମ ସେବା ବିବୃତ୍ତିରେ କୁହାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବାବେଳେ, ରେଷ୍ଟୁରାଣ୍ଟରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ନେଇ ଅଗ୍ନିଶମ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ଏପଟେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ ଲୋକ ଉପର ମହଲାକୁ ଦୌଡ଼ିକି ଆସୁଥିଲେ:

ବେଲି ରୋଡ୍ ବିଲଡିଂ ହାଉସ୍ ରେ ମୁଖ୍ୟତଃ ରେଷ୍ଟୁରାଣ୍ଟ ରହିଛି । ଏହାସହ ଅନେକ ପୋଷାକ ଏବଂ ମୋବାଇଲ୍ ଫୋନ୍ ଦୋକାନ ବି ରହିଥିବାର ବହୁ ଲୋକ ଏଠାକୁ ପ୍ରତିଦିନ ଆସିଥାନ୍ତି । ସୋହେଲ ନାମକ ଜଣେ ରେଷ୍ଟୁରାଣ୍ଟ ମ୍ୟାନେଜର କହିଛନ୍ତି, ସେମାନେ ଯେତେବେଳେ ଷଷ୍ଠ ମହଲାରେ ଥିଲେ, ସେତେବେଳେ ସେମାନେ ପ୍ରଥମେ ସିଡ଼ିରେ ଧୂଆଁ ବାହାରୁଥିବା ଏବଂ ଲୋକମାନେ ଦୌଡ଼ୁଥିବାର ଦେଖିଥିଲେ । ଅନେକ ଲୋକ ଉପର ମହଲାକୁ ଦୌଡ଼ିକି ଆସୁଥିଲେ ।

ସେ କହିଛନ୍ତି, ସେମାନେ ବିଲଡିଂ ଉପରକୁ ଚଢିବା ପାଇଁ ୱାଟର ପାଇପ୍ ବ୍ୟବହାର କରିଥିଲେ । ଉପର ମହଲାରୁ ଡେଇଁବା ବେଳେ ସେମାନଙ୍କ ଭିତରୁ କେତେଜଣ ଆହତ ବି ହୋଇଥିଲେ । ତେବେ ଅନ୍ୟମାନେ ଛାତ ଉପରେ ଫସି ରହି ସାହାଯ୍ୟ ପାଇଁ ଡାକିଥିଲେ । ତେବେ ଡାକ୍ତରମାନେ କହିଛନ୍ତି ଯେ, ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । କାହିଁକି ନା ନିଆଁରେ ପୋଡି ହୋଇ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ବାଂଲାଦେଶରେ ଆପାର୍ଟମେଣ୍ଟ, କୋଠା ଏବଂ କାରଖାନା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ସାଧାରଣ ଘଟଣା:

ତେବେ ବାଂଲାଦେଶରେ ଆପାର୍ଟମେଣ୍ଟ, କୋଠା ଏବଂ କାରଖାନା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ସାଧାରଣ ଘଟଣା ଅଟେ । କାରଣ ଏଠାରେ କୌଣସି ସୁରକ୍ଷା ନିୟମ ଲାଗୁ ହୋଇନାହିଁ  ଅର୍ଥାତ୍ ସୁରକ୍ଷା ନିୟମ ଏଠାରେ ବହୁତ ଢିଲା ।

ସୂଚନା ଥାଉକି, ଜୁଲାଇ ୨୦୨୧ ରେ, ଏକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ଅନେକ ଶିଶୁଙ୍କ ସମେତ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଫେବୃଆରୀ ୨୦୧୯ ରେ, ଢାକାରେ ଏକ ଆପାର୍ଟମେଣ୍ଟର ଅନେକ ବ୍ଲକ୍ ରେ ଅଗ୍ନିକାଣ୍ଡ ଘଟି ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.