ଗାଁ ମନ୍ଦିରରୁ ଠାକୁରଙ୍କୁ ଚୋରି କରିନେଇଛି ଦୁର୍ବୃତ୍ତ, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ଧାରଣା ଦେଲେ ଗ୍ରାମବାସୀ

ପିପିଲି(କେନ୍ୟୁଜ୍): ଚାଲିଛି ନାରାବାଜି ପୋଲିସ ପ୍ରଶାସନ ବିରୁଦ୍ଧରେ । ସାମିଲ ହୋଇଛନ୍ତି ମହିଳମାନଙ୍କ ଠାରୁ ଆରମ୍ଭ କରି ଯୁବକ ଏବଂ ବୟସ୍କ ପର୍ଯ୍ୟନ୍ତ । ଏଥିରୁ ବାଦ ପଡ଼ି ନାହାନ୍ତି ଶିଶୁମାନେ । ଏଠାରେ କୌଣସି ହକ କି ଅଧିକାର ପାଇଁ ଏଭଳି ନାରାବାଜି ଦେଉନାହାନ୍ତି ବରଂ ଏମାନେ ଗାଁର ଠାକୁରଙ୍କ ମନ୍ଦିରକୁ ଫେରାଇ ଆଣିବାରେ ପୋଲିସ ପ୍ରଶାସନ ଅସଫଳ ହେବାରୁ ପୋଲିସର ଅସହଯୋଗ ପାଇଁ ଏଭଳି ଧାରଣା ଦେଇଛନ୍ତି । ଗତ ଫେବୃଆରୀ ମାସ ୧୩ ତାରିଖ ବିଳମ୍ବିତ ରାତ୍ରରେ ସତ୍ଯବାଦୀ ଥାନା ନୁଆ ସୋମେଶ୍ୱରପୁର ଗ୍ରାମରେ ଥିବା ୫୦୦ ବର୍ଷ ତଳର ପୁରାତନ ଦୁର୍ଗା ମାଧବ ମନ୍ଦିରରୁ ତାଲା ଭାଙ୍ଗି ଅଷ୍ଠଧାତୁ ନିର୍ମିତ ଦୁର୍ଗା ମୂର୍ତ୍ତୀ ରାଧାକୃଷ୍ଣ ମଦନ ମୋହନ ଚନ୍ଦ୍ରଶେଖର ପାର୍ବତୀଙ୍କ ମୂର୍ତ୍ତୀ ସହିତ ଦୁର୍ଗାଙ୍କ ମଥାରେ ଥିବା ମିନା ନାକଗୁଣା, ଗୋପୀନାଥଙ୍କ ରୂପା କିରଟି ଆଦି ଚୋରୀ କରି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ମନ୍ଦିରକୁ ପୂଜା କରିବା ପାଇଁ ପୂଜକ ଆସିବାବେଳେ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସକାଳ ୬ ଟାରୁ ସଂଧ୍ଯା ୬ ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା ।
ମନ୍ଦିରରୁ ମୂର୍ତ୍ତୀ ଚୋରୀ ହେବା ପରେ ଖବର ପାଇ ଘଟଣା ସ୍ଥଳରେ ପିପିଲି ଏସଡ଼ିପିଓ ଦେବଦତ ବରାଳ ଥାନା ଅଧିକାରୀ ଦିଲ୍ଲୀପ କୁମାର ଧଳ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପିପିଲି ଏସଡ଼ିପିଓ କହଥିଲେ । ତେବେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନ ଥିଲା । ଏବେ ମନ୍ଦିରରେ ଠାକୁର ନାହାନ୍ତି, ଆଗକୁ ଦୋଳ ପୂର୍ଣ୍ଣମୀ ଏବଂ ବିଭିନ୍ନ ପର୍ବ ପର୍ବାଣୀ ଆସୁଥିବାବେଳେ ଠାକୁରଙ୍କ ଗ୍ରାମ ପରିକ୍ରମା ସହିତ ଦୋଳ ଉତ୍ସବ କିପରି ପାଳନ ହେବ ତାହା ଏବେ ବଡ଼ ସମସ୍ଯା ଦେଖାଦେଇଛି । ଗତକାଲି ଠାରୁ ଗ୍ରାମବାସୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି।
ଯେ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ସେପଟେ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଯେହେତୁ ମନ୍ଦିରରେ ଠାକରୁ ନାହାନ୍ତି ତେଣୁ ଗୁଆ ରଖି ଠାକୁରଙ୍କୁ ପୂଜା କରୁଛନ୍ତି ଗ୍ରାମବାସୀ । ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି ।