ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ: ସ୍ୱତନ୍ତ୍ର ଆପ୍‌ରେ ନାଁ ଚଢାଇ ପାରିବେ ନାଗରିକ

କେନ୍ୟୁଜ୍(ବ୍ୟୁରୋ):  ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ସେମାନେ ଏଥିରେ ସାମିଲ ହୋଇ ପାରିବେ । ଯେଉଁ ଯୋଗ୍ୟ ଭୋଟରଙ୍କର ଲିଷ୍ଟରେ ନାଁ ନଥିବ କିମ୍ବା ତ୍ରୁଟି ରହିଥିବ ଅଥବା ଯେଉଁମାନେ ଭୋଟର ତାଲିକାରୁ ନାଁ କାଟିବାକୁ ଚାହୁଁ ଥିବେ ସେମାନେ ଆବେଦନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନଲାଇନ ବ୍ୟବସ୍ଥାରେ କରାଯିବ । ଏକ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ଭୋଟରମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଭୋଟର ତାଲିକାରେ ନାମ ସାମିଲ, ବାଦ୍‌ କିମ୍ବା ସଂଶୋଧନ ପାଇଁ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀମାନେ ବୁଥରେ ଉପସ୍ଥିତ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ ପାଇଁ ଆବେଦନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏକ ମାସ ମଧ୍ୟରେ ସଂଶୋଧନ ପାଇଁ ଆବେଦନ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ ।

ଜାନୁଆରୀ ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ କାର୍ଡ ଯୋଗାଇଦେବେ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ । ଏଭିତରେ ଦୁଇଟି ଲେଖାଏ ଭୋଟର ଆଇଡି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.