ଘୋଷଣା ହେଲା ନିର୍ବାଚନ ତାରିଖ, ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଆସନ୍ତା ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ ।  ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ ।  ଏଥିସହ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ପୂର୍ବରୁ ସବୁ ରାଜ୍ୟ ଗସ୍ତ କରି ନିର୍ବାଚନ କମିଶନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ଗଣତନ୍ତ୍ର ମହାପର୍ବ ପାଇଁ ବାଜିଲା ବିଗୁଲ । ଅପେକ୍ଷାର ହେଲା ଅନ୍ତ । ଲୋକସଭା ନିର୍ବାଚନ ପାଇଁ ଆସିଲା ତାରିଖ । ଅପରାହ୍ନ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଏକାସଙ୍ଗେ ହେବ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ଭୋଟ୍ ।

ତେବେ ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଆସନ୍ତା ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ ।  ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ ।  ଏଥିସହ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ପୂର୍ବରୁ ସବୁ ରାଜ୍ୟ ଗସ୍ତ କରି ନିର୍ବାଚନ କମିଶନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ତେବେ ଚଳିତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି କମିଶନ । ରାଜନୈତିକ ଦଳ ଓ ନେତାଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି କଡ଼ା ନିର୍ଦ୍ଦେଶନାମା । ଆଚରଣବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଭୋଟରଙ୍କୁ ବିଭ୍ରାନ୍ତ କରିବା ପାଇଁ ମିଥ୍ୟା ବୟାନବାଜି, ଭିତ୍ତିହୀନ ଅଭିଯୋଗ ନକରିବାକୁ ରାଜନୈତିକ ଦଳ ଓ ନେତାଙ୍କୁ ନିର୍ଦ୍ଦେଶ ରହିଛି ।

ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସିଇସି ରାଜୀବ କୁମାର । କହିଲେ ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌ । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛନ୍ତି ଦେଢ଼ କୋଟି ପୋଲିଂ ଅଫିସର । ଏହାସହ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌ ।

ତେବେ ଦେଶରେ ମୋଟ ୯୭ କୋଟି ଭୋଟର ରହିଛନ୍ତି  । ଏଥର ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା  ୨୧ କୋଟି । ସେହିପରି ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର । ସେହିପରି ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ବୁଥ୍ ଯିବା ନାହିଁ ଆବଶ୍ୟକ ନାହିଁ । ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର । ସେମାନଙ୍କ ଘରକୁ ଭେଟ ଦେବା ପାଇଁ ଏକ ଫର୍ମ ପଠାଯିବ ଏବଂ ସେହି ଫର୍ମକୁ ପୁଣି  ସଂଗ୍ରହ କରାଯିବ  । ପୁରୁଷ ଭୋଟର ୪୯ କୋଟି ୭୦ ଲକ୍ଷ, ମହିଳା ଭୋଟର ୪୭ କୋଟି ୧୦ ଲକ୍ଷ, ତୃତୀୟ ଲିଙ୍ଗ ଭୋଟର ୪୮ ହଜାର ।

ସେହିପରି ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ । ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ । ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ । କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ, କାରଣ ଦର୍ଶାଇବେ । ସେହିପରି  ଫେକ୍ ନ୍ୟୁଜ୍ ପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ । ଲୋକମାନେ ଫେକ୍ ନ୍ୟୁଜକୁ ବିଶ୍ୱାସ କରନ୍ତୁ ନାହିଁ। ଟଙ୍କା ନେଣ ଦେଣ ଉପରେ ନଜର ରହିଛି । ଭୋଟରଙ୍କୁ କୌଣସି ପ୍ରକାର ପ୍ରଲୋଭନ ଦେଖାଇଲେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିସନର ।

ତେବେ ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଯିବ ନିର୍ବାଚନ ଆଚରଣ ବିଧି । ଯାହା ନିର୍ବାଚନ ଫଳାଫଳ ଆସିବ ପର୍ଯ୍ୟନ୍ତ ବଳବତ୍ତର ରହିବ । ବିଶେଷ ଭାବେ ପ୍ରତ୍ୟେକ ରାଜନୈତିକ ଦଳକୁ ଏ ନେଇ ସତର୍କ ଓ ସଚେତନ ରହିବାକୁ ପଡ଼ିଥାଏ । କାରଣ ଏହି ସମୟରେ ଯେଉଁ ନିୟମ ଲାଗୁ ହେବ ତାକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ । ଏମିତିକି ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥାଏ ।

ଆସନ୍ତୁ ଏହି ସବୁ ନିୟମ ସମ୍ପର୍କରେ ଜାଣିବା:

–ଆଦର୍ଶ ଆଚରଣ ବିଧି ଲାଗୁ ହେଲେ କୌଣସି ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କର ବଦଳି କିମ୍ବା ନିଯୁକ୍ତି ହୋଇ ପାରିବ ନାହିଁ । ଏସବୁ ଅତି ଜରୁରୀ ଥିଲେ ସରକାର ନିର୍ବାଚନ କମିଶନଙ୍କ ଅନୁମତି ନେବା ପରେ ହିଁ କିଛି କରି ପାରିବେ । ଆବଶ୍ୟକତା ଅନୁସାରେ ରାଜ୍ୟ ମୁଖ୍ୟ ନିର୍ବଚନ କମିଶନ୍ ବଦଳି କରି ପାରିବେ ।

– ଯଦି କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ରାଲି ବାହାର କରିବାକୁ ଚାହିଁବେ ଅଥବା ଜନସଭା କରିବେ ତେବେ ତା ପୂର୍ବରୁ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ବିଷୟରେ ଜଣାଇବେ ।

–କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ଭୋଟରମାନଙ୍କୁ ପ୍ରଲୋଭିତ କଲା ଭଳି କାମ କରିବେ ନାହିଁ । ଧମକ ଚମକ ଓ ଭୟଭୀତ କରି ପାରିବେ ନାହିଁ । ଏହାର ଖିଲାପ କଲେ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ନାକଚ ହୋଇ ଯାଇପାରେ । ତାଙ୍କ ନାଁରେ ମାମଲା ସହ ଜେଲ୍ ପଠାଇ ଦିଆଯାଇ ପାରେ ।

–ଏହି ସମୟରେ ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀ ମାନେ କୌଣସି ଘୋଷଣା କରି ପାରିବେ ନାହିଁ କିମ୍ବା ଆର୍ଥିକ ଅନୁଦାନ ସମ୍ପର୍କରେ ଘୋଷଣା କରି ପାରିବେ ନାହିଁ । କୌଣସି ଶୀଳାନ୍ୟାସ କିମ୍ବା ଉଦଘାଟନ ହୋଇ ପାରିବ ନାହିଁ ।

–ସେହିପରି ଶାସକ ଦଳ ମଧ୍ୟ ଭୋଟରଙ୍କୁ ସୁହାଇଲା ଭଳି କୌଣସି କାର୍ଯ୍ୟ କରିପାରିବେ ନାହିଁ । ସରକାରୀ ଡାକବଙ୍ଗଳା, ରେଷ୍ଟ ହାଉସ୍ ଆଦିକୁ ମନ୍ତ୍ରୀମାନେ ନିର୍ବାଚନୀ କାର୍ଯ୍ୟରେ ବ୍ୟବହାର କରି ପାରିବେ ନାହିଁ ।

–ନିର୍ବାଚନ କାର୍ଯ୍ୟରେ ସରକାରୀ ଯାନବାହନର ମଧ୍ୟ ବ୍ୟବହାର କରି ପାରିବେ ନାହିଁ । ଧାର୍ମିକ ସ୍ଥଳଗୁଡ଼ିକୁ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ।

–ଭୋଟ୍ ଗ୍ରହଣ ଦିନର ୨୪ ଘଣ୍ଟା ପୂର୍ବରୁ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ।

–କୌଣସି ପ୍ରାର୍ଥୀ କିମ୍ବା ଦଳ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରାଯାଇ ପାରିବ ନାହିଁ । ଧର୍ମ ଓ ଜାତିକୁ ଆଧାର କରି ପ୍ରାର୍ଥୀ ଭୋଟ୍ ମାଗି ପାରିବେ ନାହିଁ ।

–ଭୋଟ୍ ଗ୍ରହଣ ଦିନ ଭୋଟ୍ କେନ୍ଦ୍ରର ଶହେ ମିଟର ଭିତରେ ନିର୍ବାଚନ ପ୍ରଚାର କିମ୍ବା ଭୋଟରଙ୍କୁ ଆକୃଷ୍ଟ କଲା ଭଳି କାର୍ଯ୍ୟ କରାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.