Below header

ଅଚଳ ହୋଇ ପଡ଼ିଛି ନଳକୂପ, ୨୦୦ ଲୋକଙ୍କ ସାହାରା ପାଲଟିଛି ପୋଖରୀ ଜଳ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରକନ୍ଦା ପଞ୍ଚାୟତର ତେନ୍ତୁଳିକନ୍ଦା ଗ୍ରାମରେ ଦୀର୍ଘ ବର୍ଷ ହେବ ଲାଗି ରହିଛି ପାଣି ସମସ୍ୟା। କେମିତି ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ତାହା ଆଖିରେ ନ ଦେଖିଲେ ବିଶ୍ଵାସ କରିହେବନି ଏହି ଲୋକମାନଙ୍କ ସମସ୍ୟା ।

କେନ୍ଦ୍ରାପଡ଼ା : ଆସିଲାଣି ଖରାଦିନ । ଧିରେ ଧିରେ ବଢ଼ିଲାଣି ତାତି । ଏବେଠୁ ଦେଖାଗଲାଣି ପାଣିର ଅଭାବ । ପୋଖରୀ ପାଣିରେ ମେଣ୍ଟୁଛି ଶୋଷ । ଏକଥା ଶୁଣି ଆପଣଙ୍କୁ ଅଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ନିରାଟ ସତ୍ୟ । ଏ କେଉଁ ଉପାନ୍ତ ଅଞ୍ଚଳର ଦୃଶ୍ୟ କଥା ଆମେ କହୁନୁ ଆଜ୍ଞା, ଆମେ କହୁଛୁ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତେନ୍ତୁଳିକନ୍ଦା ଗ୍ରାମର ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାନୀୟ ଜଳର ସମସ୍ୟା କଥା ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରକନ୍ଦା ପଞ୍ଚାୟତର ତେନ୍ତୁଳିକନ୍ଦା ଗ୍ରାମରେ ଦୀର୍ଘ ବର୍ଷ ହେବ ଲାଗି ରହିଛି ପାଣି ସମସ୍ୟା। କେମିତି ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ତାହା ଆଖିରେ ନ ଦେଖିଲେ ବିଶ୍ଵାସ କରିହେବନି ଏହି ଲୋକମାନଙ୍କ ସମସ୍ୟା । ଗାଁରେ ସରକାରୀ ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ରହିଛି ମାତ୍ର ତାହା ଅଚଳ ହୋଇ ପଡ଼ିଛି । ଏହି ପ୍ରକଳ୍ପ ମାଧ୍ୟମରେ ଦିନେ କି ଦୁଇ ଦିନ ପାଣି ଆସିଲେ ପ୍ରାୟ ୧୫ ଦିନ ଅଚଳ ହେଇ ପଡ଼ିରହୁଛି । ପାଣି ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ମାନେ ବାରମ୍ୱାର ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ । କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ସେମାନେ ବାଧ୍ୟ ହୋଇ ଗାଁ ମୁଣ୍ଡରେ ଥିବା ପଙ୍କଭରା ପୋଖରୀରୁ ଗୋଳିଆ ପାଣିକୁ ଛାଣି ଆଣି ସେହି ପାଣିକୁ ସିଝାଇ ପିିଉଛନ୍ତି ।

ତେବେ ତେନ୍ତୁଳିକନ୍ଦା ଗାଁରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ପରିବାର ଦୀର୍ଘ ବର୍ଷ ହେବ ଏହି ପୋଖରୀ ଉପରେ ନିର୍ଭର କରି ଚଳିଆସୁଛନ୍ତି । ଏହି ସମସ୍ୟା ମଧ୍ୟରେ ପୁଣି ଆଉ ଗୋଟିଏ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ଖରା ବଢିବାରୁ ପୋଖରୀ ପାଣି ଶୁଖିବାରେ ଲାଗିଛି । ଗାଁ ରେ ଥିବା ଗୋଟିଏ ମାତ୍ର ନଳକୂପ ସେଥିରୁ ଲୁଣା ପାଣି ବାହାରି ତାହା ଅଚଳ ହୋଇପଡ଼ି ରହିଛି । ଫଳରେ ଏହି ପୋଖରୀ ପାଣିକୁ ପିଇବା ଦ୍ଵାରା ବିଭିନ୍ନ ଚର୍ମ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ । ଗାଁରେ ପିଇବା ପାଣିର ସ୍ଥାୟୀ ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ଭୋଟ ବର୍ଜ୍ଜନ ପାଇଁ ଚେତାବନୀ ଦେଇଛନ୍ତି ଏହି ଗ୍ରାମବାସୀ ମାନେ। ସେପଟେ ଅଚଳ ହୋଇଥିବା ପାନୀୟଜଳ ପ୍ରକଳ୍ପକୁ ଯଥାଶିଘ୍ର ଚାଲୁ କରିବା ସହିତ ବିଭାଗୀୟ ଅଧିକାରୀ ଓ ପ୍ରଶାସନର ସହାୟତାରେ ସ୍ଥାୟୀ ସମାଧାନ କରାଇବେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.