Below header

ଖରାଦିନରେ ଲହଡି ଭାଙ୍ଗୁଛି ପାଣି, ଘରେ ବନ୍ଦୀ ହୋଇରହିଛନ୍ତି ଲୋକେ

ନବରଙ୍ଗପୁର (କେନ୍ୟୁଜ) : ଖରାଦିନରେ ଲହଡି ଭାଙ୍ଗୁଛି ପାଣି। ଲୋକେ ଚାଲିବା ତ ଦୂରର କଥା ଗାଡି ଗୁଡିକ ବି ଫଶି ରହିଛି ପାଣି ସୁଅରେ। ଉଦୁଉଦୁଆ ଖରାବେଳରେ ଜଳବନ୍ଦୀ ହୋଇ ରହିଛନ୍ତି ପ୍ରାୟ ୨୦୦ ପରିବାର। ନା ଏପାଖ ଲୋକ ଯାଇପାରୁଛନ୍ତି ସେ ପାଖକୁ ନା ସେପାଖ ଲୋକ ଆସିପାରୁଛନ୍ତି ଏପାଖକୁ। ଗ୍ରୀଷ୍ମଋତୁରେ ଏମିତି ଦୃଶ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଦେଖନ୍ତୁ ଏଇ ଦୃଶ୍ୟ ରାସ୍ତା ରେ କେମିତି ଲହଡି ଭାଙ୍ଗୁଛି ପାଣି। ରାସ୍ତା ରେ ଥିବା ଗାଡିଟିର ଚକ ମଧ୍ୟ ପାଣି ଭିତରେ ବୁଡି ରହିଛି। ଏହା କୌଣସି ବନ୍ଯାଞ୍ଚଳର ଦୃଶ୍ଯ ନୁହେଁ। ଏ ଦୃଶ୍ଯ ହେଉଛି ନବରଙ୍ଗପୁର ଜିଲ୍ଲା ସଦରମହାକୁମା ସ୍ଥିତ ୱାର୍ଡ ନୋ ୧୨ ଅନ୍ତର୍ଗତ ସାଇ ନଗରର।

ଗତକାଲି ରାତି ରେ ହୋଇଥିବା ଅଦିନିଆ ଝଡ଼ ବର୍ଷା ଏଠି ବନ୍ଯା ପରିସ୍ଥିତି ସୃଷ୍ଟି କରିଛି। ଜମି ମାଫିଆଙ୍କ ପାଇଁ ଏ ଦଶା ଭୋଗୁଛନ୍ତି କଲୋନୀବାସୀ, ଜମି ଅଧିକା ଦାମରେ ବିକ୍ରି କରିବା ଲୋଭରେ ନାଳ ନର୍ଦମାକୁ ମଧ୍ୟ ପୋତି ପକେଇଛନ୍ତି ଏଇ ମାଫିଆ ମାନେ। ପ୍ରାୟ ୮ ବର୍ଷ ତଳୁ ଏଇ କୋଲନିରେ ଲୋକ ରହିବା ଆରମ୍ଭ କରିଥିଲେ କିନ୍ତୁ ଦୁଃଖର କଥା ଆଜି ପର୍ଯ୍ଯନ୍ତ ନା ଭଲ ରାସ୍ତା ନା ଅଳିଆ ଆବର୍ଜନା ନିଷ୍କାସନ ପାଇଁ ନାଳଟିଏ ମଧ୍ୟ ପ୍ରଶାସନ ପକ୍ଷରୁ ହେଇ ପାରିଲା ନାହିଁ। ସହରର ଥିବା ଡ୍ରେନଟିକୁ ଜମି ମାଫିଆ ମାନେ ପୋତି ପକେଇଥିବାରୁ ପ୍ରତିବର୍ଷ ବର୍ଷା ଋତୁ ଆସିଲେ ଏକ ପ୍ରକାର ଜଳବନ୍ଦୀ ହୋଇରହୁଥିଲେ ଏଠିକାର ଲୋକେ କିନ୍ତୁ ଏବେ ଗ୍ରୀଷ୍ମ ଋତୁରେ ମଧ୍ୟ ସମଦଶା ଭୋଗୁଛନ୍ତି।

ଏପଟେ କରୋନା କାଳରେ ଅପରିଷ୍କାର ପାଣି ମଧ୍ୟ ଦେଇ ଯିବା ଆସିବା କରିଥିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକେ। ଏ ସମସ୍ଯା କୁ ନେଇ ପୌର ପ୍ରଶାସନ ସହ ଯୋଗାଯୋଗ କରିବାରୁ, ଅତିଶୀଘ୍ର ସେ ଅଞ୍ଚଳର ସମସ୍ୟାର ସମାଧାନ ସହ ବର୍ଷା ଋତୁ ପୂର୍ବରୁ ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୌର ର୍ନିବାହୀ ଅଧିକାରୀ। କିନ୍ତୁ ଥରେ ଆପଣ ଭାବନ୍ତୁ ଯଦି ଗ୍ରୀଷ୍ମଋତୁରେ ଏପରି ଅସୁବିଧା ଭୋଗିବାକୁ ପଡୁଛି ତାହେଲେ ବର୍ଷା ଋତୁରେ ଆଉ କେତେ ଅସୁବିଧା ନଭୋଗିବେ ଏମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.