Below header

ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଶବ ମିଳିନି ହେଲେ ଦାହସଂସ୍କାର କରିଦେଲେ ପରିବାର ଲୋକେ

ଭଞ୍ଜନଗର (କେ ନ୍ୟୁଜ୍‌) : ଗତ ୭ ତାରିଖ ଦିନ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଘଟିଲା ଭୟାନକ ବିସ୍ଫୋରଣ । ଏହି ଦୁଃଖଦ ଘଟଣାରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି ତାର ହିସାବ ହୋଇ ପାରିନାହିଁ । ତେବେ ସରକାରୀ ଭାବେ ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଭିଜୁଆଲ ଓ ଫଟୋରୁ ଚର୍ଚ୍ଚା ଚାଲିଛି ଯେ ଆଉ ଜଣେ ବ୍ୟକ୍ତି ମଧ୍ୟ ପ୍ରଭାବିତ ହୋଇଛନ୍ତି । ସେ ବ୍ୟକ୍ତି ଜଣକ କିଏ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

SIMANCHAL-2

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକାର ସତ୍ୟ ନାୟକ ନାମକ ଜଣେ ବ୍ୟକ୍ତି ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇ ଗତକାଲି ମୃତ୍ୟୁ ବରଣ କରିଛନ୍ତି । ଲକ୍ଷ୍ନୌର ରିପୁ ଦମନ ଶ୍ରୀବାସ୍ତବ ମଧ୍ୟ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣା ଭିତରେ ଆଉ ଜଣେ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ତାଙ୍କ ପରିବାର ଲୋକ । ସେ ହେଉଛନ୍ତି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ତଥା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗହଙ୍ଗୁ ଗ୍ରାମର ସୀମାଞ୍ଚଳ ପରିଡ଼ା । ପରିବାର ଲୋକଙ୍କ କହିବା ଅନୁସାରେ ସୀମାଞ୍ଚଳ ମଧ୍ୟ ଏହି ବିସ୍ଫୋରଣ ଘଟଣା ବେଳେ ସେହି ପେଟ୍ରୋଲ ପମ୍ପରେ ଥିଲେ । ତେଣୁ ସେମାନେ ଭୁବନେଶ୍ୱର ଆସି ଖୋଜାଖୋଜି କରିଥିଲେ । ହେଲେ କିଛି ପତ୍ତା ପାଇଲେ ନାହିଁ । କ୍ୟାପିଟାଲ ଥାନାରେ ସୀମାଞ୍ଚଳ ନିଖୋଜ ଥିବା ନେଇ ପରିବାର ତରଫରୁ ଏତଲା ଦିଆଯାଇଥିବା କୁହାଯାଇଛି । କୌଣସି ସୂଚନା ନପାଇବା ପରେ ତାଙ୍କ ସମ୍ପର୍କୀୟମାନେ ଘରକୁ ଫେରି ଯାଇଛନ୍ତି ।

ତେବେ ଘର ଲୋକଙ୍କ କହିବା କଥା ହେଉଛି ସେମାନେ ବିସ୍ଫୋରଣରେ ଅଳ୍ପ ଆହତ କେତେଜଣ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ଏହି ଲୋକଙ୍କ ଠାରୁ ଯାହା ଜଣାପଡ଼ିଛି ଯେ ଦୁର୍ଘଟଣା ବେଳେ ସୀମାଞ୍ଚଳ ସେଠାରେ ଉପସ୍ଥିତ ଥିବା ସେମାନେ ଦେଖିଛନ୍ତି । ତେବେ ପୋଲିସ୍‌ ପାଖରେ ଏ ନେଇ ଠୋସ୍‌ ପ୍ରମାଣ ନାହିଁ । ଅନ୍ୟପକ୍ଷରେ ଏଲ୍‌ପିଜି ଟାଙ୍କି ବିସ୍ଫୋରଣ ପରେ କେତେକ ଜାଗାରେ ମଣିଷ ଶରୀରର ମାଂସ ଖଣ୍ଡ ସବୁ ଛିଟିକି ପଡ଼ିଥିଲା । ଏହାର ଡିଏନ୍‌ଏ ଟେଷ୍ଟ ହେଲେ ଯାଇ ଏହା କାହାର ବୋଲି ଜଣାପଡ଼ିବ । ପୋଲିସ୍‌ ଏକଥା ସେମାନଙ୍କୁ କହିଥିବା ସୀମାଞ୍ଚଳଙ୍କ ପରିବାର ଲୋକେ କେନ୍ୟୁଜ୍‌କୁ କହିଛନ୍ତି । ଏବେ ଦାୟିତ୍ୱ ପୋଲିସ୍‌ର କିଭଳି ସୀମାଞ୍ଚଳଙ୍କୁ ଠାବ କରିବ । ତେବେ ବିସ୍ଫୋରଣ ସ୍ଥଳରୁ ଯେଉଁ ସବୁ ମାଂସ ଖଣ୍ଡ ମିଳିଛି ତାହା ଜଣକର କିମ୍ବା ଅଧିକ ଲୋକଙ୍କର ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

କିଏ ଏହି ସୀମାଞ୍ଚଳ ପରିଡ଼ା ?

ସୀମାଞ୍ଚଳ ଆଇଓସିଏଲ୍‌ କୋଲକାତାରେ ସାଇଟ୍‌ ଇଂଜିନିୟର ଭାବେ କାମ କରୁଥିଲେ ବୋଲି କୁହାଯାଉଛି । ସେ ତିନି ଜଣ ଲେବରଙ୍କ ସହ ଭୁବନେଶ୍ୱରର ଏହି ପେଟ୍ରୋଲପମ୍ପକୁ କାମ କରିବାକୁ ଆସିଥିଲେ । ଗ୍ୟାସ୍‌ ରିଫିଲିଂ ସରିବା ପରେ ସେ ଯେତେବେଳେ ତଦାରଖ କରିବାକୁ ଯାଇଥିଲେ ଠିକ୍‌ ସେତିକି ବେଳେ ବିସ୍ଫୋରଣ ହୋଇଥିବା କୁହାଯାଉଛି ।

ଏହାପରେ ତାଙ୍କୁ ଖୋଜିବା ପାଇଁ ତାଙ୍କର ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ ଭୁବନେଶ୍ୱର ଆସିଥିଲେ । ତେବେ ଅନ୍ୟ ଆହତମାନଙ୍କ ଠାରୁ ସୀମାଞ୍ଚଳଙ୍କ ସମ୍ପର୍କରେ ଶୁଣିବା ପରେ ଧରି ନେଇଥିଲେ ଯେ ଭାଇ ଆଉ ନାହାନ୍ତି । ତେଣୁ ଘରକୁ ଫେରିଯାଇ ଏକଥା କହିବା ପରେ ଆଜି ଭୋର ସମୟରେ ତାଙ୍କ ପରିବାର ଲୋକେ ନଡ଼ାରେ ଏକ ପ୍ରତୀକାତ୍ମକ ଶବ ତିଆରି କରି ନିକଟସ୍ଥ ମଶାଣିରେ ସୀମାଞ୍ଚଳଙ୍କର ଦାହ ସଂସ୍କାର କରିଛନ୍ତି।

SIMANCHAL-3

୫ ଭଉଣୀରେ ଗୋଟିଏ ପୁଅ ହେଉଛନ୍ତି ସୀମାଞ୍ଚଳ । ଭଉଣୀ ସବୁ ବାହା ହୋଇଯାଇଛନ୍ତି । ଘରେ ୭୫ ବର୍ଷର ବୃଦ୍ଧ ବାପା ତ୍ରିନାଥ ପରିଡ଼ା । ୧୦ ବର୍ଷ ତଳେ ବିବାହ କରିଥିଲେ ସୀମାଞ୍ଚଳ । ଘରେ ସ୍ତ୍ରୀ ସହ ୭ ବର୍ଷର ପୁଅ, ୪ ବର୍ଷର ଝିଅ । ସୀମାଞ୍ଚଳ କୋଲକାତାରୁ ଭୁବନେଶ୍ୱର ଆସିଥିବା କଥା ଘରେ ଜାଣିଥିଲେ । ବିସ୍ଫୋରଣର ପୂର୍ବ ଦିନ ଘର ଲୋକଙ୍କ ସହ କଥା ହୋଇଥିଲେ । ଘରୁ ଚାଉଳ ବସ୍‌ ଯୋଗେ ଭୁବନେଶ୍ୱର ପଠାଇଥିଲେ । ଯାହାକୁ ନେଇ ସୀମାଞ୍ଚଳ କୋଲକାତା ଯାଇଥାନ୍ତେ । ଏହି ସବୁ ତଥ୍ୟ ଘର ଲୋକଙ୍କ ଠାରୁ ମିଳିଛି । ତେବେ ସୀମାଞ୍ଚଳଙ୍କ ସମ୍ପର୍କରେ କୌଣସି ତଥ୍ୟ ପୋଲିସ୍‌ ପାଖରେ ନାହିଁ କିମ୍ବା ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ମଧ୍ୟ କିଛି ସ୍ପଷ୍ଟ କରି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.