Below header

ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ମାରିଲା କିଏ? ସନ୍ଦେହ ଘେରରେ ଥିବା ଦୁଇ ଯୁବକ ଚିହ୍ନଟ, କୁଆଖିଆ ପୋଲିସର ତନାଘନା

ଯାଜପୁର : ଝରାଫୁଲଙ୍କୁ ମାରିଲା କିଏ ? ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟ ରାସ୍ତା କଡରୁ ଉଦ୍ଧାର ହେଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ । ମୃତ ଛାତ୍ରୀ ହେଲେ ମୟୂରଭଞ୍ଜ ଜିଲ୍ଲା ବୁନ୍ଦେଇପଶି ଅଞ୍ଚଳର ଝରାଫୁଲ ନାୟକ । ଦୁଇଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ରାସ୍ତା କଡରେ ଫିଙ୍ଗି ଦେଇ ଯିବାର ଦୃଶ୍ୟ ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଦୁଇ ଯୁବକଙ୍କୁ ପୋଲିସ ଚିହ୍ନଟ କରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ମୃତ ଦେହରେ କୌଣସି କ୍ଷତଚିହ୍ନ ନାହିଁ ।

ଝରାଫୁଲଙ୍କ ବାପାଙ୍କ କହିବା ଅନୁସାରେ ଜଣେ ଅଧ୍ୟାପିକାଙ୍କ ଝିଅର ଜନ୍ମଦିନ ପାଇଁ ତାଙ୍କ ଝିଅ ଗତ ୨୪ ତାରିଖରେ ଭୁବନେଶ୍ୱର ଯାଇଥିଲା । ୨୬ ତାରିଖ ଦିନ ପ୍ରାୟ ୧୧ଟାରେ ଝିଅ ଭୁବନେଶ୍ୱରରୁ ବସ୍‌ରେ ବସିଥିଲା । ଏହାର କିଛି ସମୟ ପରେ ପେଟ ଖରାପ କଥା କହି ବସ୍‌ରୁ ଓହ୍ଲାଇଥିଲା ବୋଲି ଫୋନ୍‌ କରି ଜଣାଇବା ପରେ ପରେ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା । ଏହାରି ଭିତରେ ଏକ ଚାଟ୍‌ ସାମ୍ନାକୁ ଆସିଛି । ସଂଧ୍ୟା ୬ଟା ୫୦ରେ ଫୋନ୍‌ ରିସିଭ୍‌ କରିବା ପାଇଁ କୁହାଯାଇଛି । ଏହାର ଜବାବ ଆସୁଛି ରାତି ୧୨ଟା ୩୫ରେ ।

ଜବାବରେ ଲେଖାଯାଇଛି, ଭାଇ ମୁଁ ଠିକ୍‌ ଅଛି । ସାଙ୍ଗ ସୋନାଲି ଘରେ ଅଛି । ନେଟ୍‌ଓ୍ଵର୍କ ପ୍ରୋବ୍ଲେମ ଅଛି । ଏହି ଚାଟ୍‌ ଝରାଫୁଲ ଓ ତାଙ୍କ ଭାଇଙ୍କ ମଧ୍ୟରେ ବୋଲି କୁହାଯାଉଛି । ହେଲେ ଚାଟ୍‌ ଝରାଫୁଲ କରିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ । ଝିଅକୁ ହତ୍ୟା କରାଯାଇଥିବା ନେଇ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ସେପଟେ ଅନ୍‌ଲାଇନ୍‌ରେ କ୍ଲାସ ଚାଲୁଥିବାରୁ ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁନଥିଲେ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.