ମୃତ୍ୟୁର ୨୧ ଦିନ ପରେ ତିନିଖଣ୍ଡି ଗାଁ ଲୋକେ ମିଳିମିଶି ପ୍ରତିଷ୍ଠା କଲେ ଛଅ ଗୋଡିଆ ଷଣ୍ଢର ସମାଧି

ମାର୍ଶାଘାଇ: ମନ୍ତ୍ର ପାଠ ସାଙ୍ଗକୁ ନାଲି, ନିଳ କାଗଜ ଓ ଫୁଲରେ ସଜେଇ ହୋଇଛି ସମାଧି ପିଠ । ମୃତ୍ୟୁର ୨୧ ଦିନ ପରେ ତିନି ଖଣ୍ଡି ଗାଁ ଲୋକେ ମିଶି  କରିଛନ୍ତି ଛଅ ଗୋଡିଆ ଷଣ୍ଢର ସମାଧି ପ୍ରତିଷ୍ଠା କାର୍ଯ୍ୟକ୍ରମ। ହଜାର ହଜାର ଲୋକଙ୍କ ପାଇଁ  ଆନନ୍ଦ ବଜାର ଓ ଭଜନ ସମାରୋହରେ ଦୁଲୁକି ଉଠିଥିଲା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଗାଁର ବାହାକଣ୍ଡିଆ ଗାଁ।

ଏହି ଅଞ୍ଚଳରେ ରହୁଥିଲା ଏକ ଛଅ ଗୋଡିଆ ଷଣ୍ଢ। ଚାରଟି ଗୋଡ ସହିତ ତା ପିଠିରେ ଥିଲା ଦୁଇଟି ଗୋଡ । ତେଣୁ ଲୋକମାନେ ଏହି ଷଣ୍ଢକୁ ଛଅ ଗୋଡିଆ ବୋଲି ଡାକୁଥିଲେ। ଏହି ଷଣ୍ଢଟି ଏ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଏତେ ଆପଣାର ହୋଇଥିଲା ଯେ, ଲୋକମାନେ ଦିନେ ନଦେଖିଲେ ଖୋଜୁଥିଲେ। ଅନେକ ପରିବାର ଓ ଦୋକାନ ବଜାରରେ ସେ ବୁଲି ବୁଲି ଖାଏ ମହାଦେବଙ୍କ ବାହାନ ହେତୁ ସ୍ଥାନୀୟ ଲୋକମାନଙ୍କର ଏହି ଷଣ୍ଢ ପ୍ରତି ଭକ୍ତି ଓ ଭଲପାଇବା ଏତେ ମାତ୍ରାରେ ଅଧିକ ଥିଲା ଯେ ଅନେକ ଲୋକେ ଏହି ଷଣ୍ଢକୁ ନିଜର ପରିବାର ସଦସ୍ୟ ବୋଲି ଗ୍ରହଣ କରି ନେଇଥିଲେ।ଅଧିକ ବୟସରୁ ରୋଗରେ ପଡି ତାଙ୍କର ଦେହାନ୍ତ ହୋଇଥିଲା। ଲୋକମାନେ ତାଙ୍କ ଅନ୍ତିମ ସମୟରେ ବିଭିନ୍ନ ସେବା ଓ ଚିକିତ୍ସା କରିଥିଲେ ମଧ୍ୟ ବଞ୍ଚି ପାରିନଥିଲା ଷଣ୍ଢ। ଗ୍ରାମବାସୀ ମାନେ ଏକାଠି ହୋଇ ଶୋଭାଯାତ୍ରାରେ ଷଣ୍ଢକୁ ନେଇ ଶ୍ମଶାନରେ ସମାଧି ଦେଇଥିଲେ ମୃତ୍ୟୁ ର ୨୧ ଦିନରେ ଗ୍ରାମର ଲୋକମାନେ ପାଳନ କରିଛନ୍ତି ଛଅଗୋଡିଆ ଷଣ୍ଢର ଏମିତି ସମଧି ପ୍ରତିଷ୍ଠା କାର୍ଯ୍ୟକ୍ରମ।

bullସମାଧି ପ୍ରତିଷ୍ଠା କାର୍ଯ୍ୟରେ ଖର୍ଚ୍ଚ ହେଉଥିବା ଅର୍ଥକୁ ଆଖପାଖ ଗ୍ରାମରୁ ଭିକ୍ଷା ଆକାରରେ ସଂଗ୍ରହ କରାଯାଇଥିବା ବେଳେ ବିଦେଶରେ ରହିଥିବା ଯୁବକ ମାନେ ଖବର ପାଇ ହଜାର ହଜାର ଟଙ୍କା ଏହି ପାଣ୍ଠିକୁ ଦାନ କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ସ୍ବେଛାକୃତ ଭାବେ ଯୋଗଦେଇ ଥିଲେ ହଜାର ହଜାର ଶ୍ରଦ୍ଧାଳୁ । ସକାଳୁ ସକାଳୁ ସମାଧି ପୀଠକୁ ଲିପାପୋଛା କରି ସଜାଯାଇଥିଲା ସମାଧି ସ୍ଥଳ ନାଲି ନିଳ କାଗଜ ଫୁଲ ଓ ଗେଣ୍ଡୁ ହାରରେ । ଯାହାକୁ ସଜାଇ ଥିଲେ ଗ୍ରାମବାସୀମାନେ। ଆରମ୍ଭ ହୋଇଥିଲା ଭୋଜି ଭାତର ଆୟୋଜନ। ସନ୍ଧ୍ୟାରେ ପଣ୍ଡିତଙ୍କୁ ଡକାଯାଇ କରାଯାଇଥିଲା ପୂଜା ପାଠ । ମହାଦେବଙ୍କ ପୂଜା ମନ୍ତ୍ରରେ ସମାଧିକୁ ଅଭିମନ୍ତ୍ରିତ କରିଥିଲେ ପୂଜକ । ଘଣ୍ଟା ଘଣ୍ଟି ହରିବୋଲ ହୁଳହୁଳି ଓ ନାମ ସଂକିର୍ତ୍ତନରେ ପ୍ରକମ୍ପିତ ହେଉଥିଲା ସମାଧି ସ୍ଥଳ ।  ସ୍ଥାନୀୟ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ଅନୁଷ୍ଠିତ କରାଯାଇଥିଲା ଭଜନ ସନ୍ଧ୍ୟା। ସମାଧି ପ୍ରତିଷ୍ଠା ଶେଷରେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା।

ସମାଜରେ ପଶୁମାନଙ୍କ ପ୍ରତି ବଢୁଥିବା ନିଷ୍ଠୁରତା ବିରୋଧରେ ବାହାକଣ୍ଡିଆ ଗାଁର ଲୋକଙ୍କ ଏଭଳି ପଶୁ ପ୍ରେମ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ନିଆରା ସନ୍ଦେସ ଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.