ପ୍ରଦୀପ ଜେନା ମୁଖ୍ୟ ସଚିବ ଭାବେ ଦାୟିତ୍ୱ ନେବା ପରେ କାହାକୁ ମିଳିବ ଏସ୍‌ଆରସି ପଦ ? ଖୁବଶୀଘ୍ର ହୋଇପାରେ ସଚିବ ସ୍ତରୀୟ ଅଦଳବଦଳ

ଖୁବଶୀଘ୍ର ବରିଷ୍ଠ ଆଇଏଏସ୍‌ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ସମ୍ଭାବନା ରହିଛି। ତେବେ ସରକାର ଏପ୍ରିଲ ଯାଏ ଅପେକ୍ଷା କରିବେ ନା ତ୍ୱରିତ କୌଣସି ନିଷ୍ପତ୍ତି ନେବେ ତାକୁ ଅପେକ୍ଷା ରହିଛି ।

କେନ୍ୟୁଜ୍(ବ୍ୟୁରୋ): ମାର୍ଚ୍ଚ ୧ରୁ ଓଡ଼ିଶା ବ୍ୟୁରୋକ୍ରାସୀକୁ ମିଳିବ ନୂଆ ମୁଖିଆ। ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବେ ପ୍ରଦୀପ ଜେନା। ପ୍ରଦୀପ ଜେନା ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର ଥିଲେ। ତାଙ୍କ ସ୍ଥାନରେ କାହାକୁ ମିଳିବ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ବିପର୍ଯ୍ୟୟ ମୁକାବିଲା ସବୁବେଳେ ଓଡ଼ିଶା ପାଇଁ ଚ୍ୟାଲେଞ୍ଜିଂ ହୋଇ ଆସିଛି। ଏସ୍‌ଆରସି ଥିବା ସମୟରେ ବିପର୍ଯ୍ୟୟ ମୁକାବିଲାରେ ପ୍ରଦୀପ ଜେନାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏବେ ତାଙ୍କ ସ୍ଥାନ କିଏ ନେବେ?

ନୂଆ ଉନ୍ନୟନ କମିଶନର ହୋଇଛନ୍ତି ବରିଷ୍ଠ ଆଇଏଏସ୍‌ ଅଫିସର ଅନୁ ଗର୍ଗ। ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି। ବ୍ୟୁରୋକ୍ରାସୀର ନମ୍ବର ଦୁଇ ସ୍ଥାନରେ ଥିବା ଏହି ପଦବୀ ଦାୟିତ୍ୱରେ ରହିବେ ଅନୁ ଗର୍ଗ। ସେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ବି ଅଛନ୍ତି । ସେ ଦୁଇଟି ଦାୟିତ୍ୱ ତୁଲାଇବେ ନା ଜଳସମ୍ପଦ ବିଭାଗ ଦାୟିତ୍ୱ ଆଉ କାହାକୁ ମିଳିବ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଆସନ୍ତା ମାର୍ଚ୍ଚ ମାସରେ ଦୁଇ ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‍୍ୟାଙ୍କର ଆଇଏଏସ୍‌ ଅଫିସର ଅସବର ନେଉଛନ୍ତି । ସାଧାରଣ ଉଦ୍ୟୋଗ ବିଭାଗ ସଚିବ ଥିବା ୧୯୮୭ ବ୍ୟାଚର ଡକ୍ଚର ନିକୁଞ୍ଜ ସୁନ୍ଦରାୟ ଓ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଥିବା ୧୯୮୯ ବ୍ୟାଚର ମୋନା ଶର୍ମା ଅବସର ନେବେ । ଏମାନଙ୍କ ସ୍ଥାନକୁ ଦୁଇ ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‍୍ୟାଙ୍କକୁ ଉନ୍ନୀତ ହେବେ। ତେଣୁ ଖୁବଶୀଘ୍ର ବରିଷ୍ଠ ଆଇଏଏସ୍‌ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ସମ୍ଭାବନା ରହିଛି। ତେବେ ସରକାର ଏପ୍ରିଲ ଯାଏ ଅପେକ୍ଷା କରିବେ ନା ତ୍ୱରିତ କୌଣସି ନିଷ୍ପତ୍ତି ନେବେ ତାକୁ ଅପେକ୍ଷା ରହିଛି ।

୧୯୮୯ ବ୍ୟାଚ୍‌ର ଅଧିକାରୀ ପ୍ରଦୀପ ଜେନା ମୁଖ୍ୟ ସଚିବ ହେବାକୁ ଥିବା ବେଳେ ୧୯୯୧ ବ୍ୟାଚ୍‌ର ଅଧିକାରୀ ଅନୁ ଗର୍ଗ ଉନ୍ନୟନ କମିଶନର ହେବେ। ସାଧାରତଃ ଉନ୍ନୟନ କମିଶନର ମୁଖ୍ୟ ଶାସନ ସଚିବ ହୋଇ ଆସୁଛନ୍ତି। ଯଦି ଏହି ଧାରା ବଜାୟ ରୁହେ, ତେବେ ୧୯୮୦ ଦଶକର ଆଇଏଏସ୍‌ ଅଧିକାରୀ ଆଗକୁ ମୁଖ୍ୟ ଶାସନ ସଚିବ ପଦବୀକୁ ଉନ୍ନିତ ହେବା ସମ୍ଭାବନା କ୍ଷୀଣ। ଆଗକୁ ନବେ ଦଶକଙ୍କ ଅଧିକାରୀଙ୍କୁ ପ୍ରଶାସନର ଶୀର୍ଷ ପଦବୀରେ ଦେଖିବାକୁ ମିଳିପାରେ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.