ଆଜି ମହିଳା ଥାନାରେ ହାଜର ହେବେ ହ୍ୟୁମାନ ସାଗର, ପତ୍ନୀଙ୍କ ଅଭିଯୋଗ ପରେ କାଉନସେଲିଂ ପାଇଁ ଡାକିଛି ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ପାରିବାରିକ ବିବାଦ ମାମଲାରେ ଆଜି ମହିଳା ଥାନାରେ ହାଜର ହେବେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ରଙ୍କ ଅଭିଯୋଗ ପରେ ଡାକିଛି ମହିଳା ଥାନା ପୋଲିସ । ଶ୍ରୀୟା ମିଶ୍ର ବି ଥାନାରେ ହାଜର ହେବେ । ଉଭୟଙ୍କ କାଉନସେଲିଂ ହେବ । ମହିଳା ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଏଯାଏ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ । କାଉନସେଲିଂ ପାଇଁ ଦୁହିଁଙ୍କୁ ମହିଳା ଥାନାକୁ ଡକାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗ ଆଧାରରେ ପ୍ରଥମେ ଶ୍ରୀୟାଙ୍କୁ ଡାକି ପଚରାଉଚରା କରିବ ପୋଲିସ । ପରେ ପକ୍ଷ ରଖିଲେ ହ୍ୟୁମାନ ସାଗର । ଏହାପରେ ଉଭୟଙ୍କୁ ଏକାଠି ବସାଇ ପଚରାଉଚରା କରିବ ମହିଳା ଥାନା ପୋଲିସ । ଗତକାଲି ହ୍ୟୁମାନଙ୍କ ପତ୍ନୀ କଟକ ଡିପସିିଙ୍କୁ ଭେଟିଥିଲେ । କିଛି ମାସ ହେବ ସ୍ୱାମୀ ତାଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଶ୍ରୀୟା ଅଭିଯୋଗ କରିଥିଲେ । ହ୍ୟୁମାନ ଓ ଶ୍ରୀୟା ପ୍ରତିଯୋଗୀ ଭାବେ ସଂଗୀତ ଭିତ୍ତିକ ରିଅଲିଟି ସୋରେ ଭଏସ ଅଫ ଓଡ଼ିଶା ସିଜନ-୨ରେ ଭାଗ ନେଇଥିଲେ । ସୋ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସୋରେ ହ୍ୟୁମାନ ସାଗର ବିଜେତା ହୋଇଥିଲେ । ୨୦୧୭ ମସିହାରେ ଉଭୟ ବିବାହ କରିଥିଲେ । ଶ୍ରୀୟା ବାଲେଶ୍ୱର ବାସିନ୍ଦା ହୋଇଥିବା ବେଳେ ହ୍ୟୁମାନଙ୍କ ଘର ବଲାଙ୍ଗିରରେ । ଉଭୟ ଏକାଠି ଅନେକ ଗୀତ ଗାଇଛନ୍ତି । ଉଭୟଙ୍କ ଗୋଟିଏ ଝିଅ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.