Below header

ଭୁଲ୍ ସ୍ଵାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନ: ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ! ମହିଳାଙ୍କ ମୃତ୍ୟୁ

ଭୁଲ୍ ସ୍ଵାସ୍ଥ୍ୟସେବାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ନ୍ୟାୟ ମାଗୁଛି ପରିବାର । ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁ ୧୪ ମାସର କୁନି ପୁଅ ଆଜି ହରାଇ ନିଜ ମାଆକୁ ।

ଭଦ୍ରକ(କେନ୍ୟୁଜ୍): ଗୋଟେ ବାପର ବୁକୁ ଫଟା କୋହ । ନିଜ ଅଲିଅଳି ଝିଅକୁ ହରାଇ ଏଇ ବୁଢା ବାପାଟି ନିଜ ଧର୍ଯ୍ୟ ହରାଇ ବସିଛି । ଆଗକୁ ସବୁ ଅନ୍ଧକାର ଦେଖାଯାଉଛି ଏଇ ବାପଟିକୁ । କେତେ ଯତନରେ ପାଳିପୋଷି ଛୋଟରୁ ବଡ କରିଥିଲେ । ବହୁକଷ୍ଟରେ ପାଠ ପଢାଇ ଶେଷରେ ନିଜ ଅଲିଅଳି ଝିଅକୁ ବାହା ଦେଇଥିଲେ । ଝିଅବି ନିଜ ସଂସାରରେ ଖୁସିରେ ଥିଲେ । ଏଇତ ୧୪ ମାସ ତଳେ ସେ ପୁତ୍ର ସନ୍ତାନଟେ ଜନ୍ମ ଦେଇଥିଲେ। ହେଲେ ସବୁ ଖୁସି ନିମିଷକ ଭିତରେ ଉଭେଇଗଲା । ନିଜ କୁନି ପୁଅକୁ ଏକା କରି ସବୁ ଦିନ ପାଇଁ ସେ ଆରପାରିକୁ ଚାଲିଯାଇଛନ୍ତି।

ଭୁଲ୍ ସ୍ଵାସ୍ଥ୍ୟସେବାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁ ଏଇ ବୁଢା ବାପାଟି ଆଜି ହରାଇ ନିଜ ଝିଅକୁ । ବାଲେଶ୍ଵର ଜିଲା ଔପଦା ଗଡସାହି ଗ୍ରାମର ଯଶୋବନ୍ତ ବାରିକଙ୍କ ପତ୍ନୀ ଜୟନ୍ତୀ ନିଜ ବାପଘର ଆଗରପଡାର ରାଉତରାପୁର ଗ୍ରାମକୁ ବୁଲି ଆସିଥିଲେ । ସ୍ଥାନୀୟ ଜଣେ ଆଶାକର୍ମୀ ତାଙ୍କୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ପ୍ରବର୍ତାଇଥିଲେ । ବରପଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଏକ ଅସ୍ତ୍ରୋପଚାର ଶିବିରକୁ ଆଶାକର୍ମୀଙ୍କ ସହ ଆସିଥିଲେ ଜୟନ୍ତୀ । ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ହେଲେ ଅସ୍ତ୍ରୋପଚାରର କିଛି ସମୟ ଭିତରେ ତାଙ୍କର ପେଟରେ ଯନ୍ତ୍ରଣା ହୋଇଥିଲା । ଏକଥା ପଚାରିବାକୁ ଅସ୍ତ୍ରୋପଚାର ପରେ ଏମିତି ହୁଏ ବୋଲି କହିଥିଲେ ଡାକ୍ତର । ଆଉ ତାଙ୍କୁ ଘରକୁ ପଠାଇ ଦେଇଥିଲେ ।

କିନ୍ତୁ ଘରେ ପହଞ୍ଚିବା ପରେ ଯନ୍ତ୍ରଣା କମ୍ ନହେବାରୁ ଜୟନ୍ତୀଙ୍କୁ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ପୁଣି ଭଦ୍ରକ ଜିଲା ମୁଖ୍ୟ ଚକିତ୍ସାଳୟକୁ ଅଣାଯାଇଥିଲା । ବୁଧବାର ଏକ ଡାକ୍ତରୀ ଦଳ ତାଙ୍କର ପୁନଃ ଅସ୍ତ୍ରୋପଚାର କରିଥିଲେ । ମାତ୍ର ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର କଟକରେ ଜୟନ୍ତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଏପଟେ ଗତକାଲି ଶୁକ୍ରବାର ମୃତଦେହକୁ କଟକରୁ ଭଦ୍ରକ ଆଣିଥିଲେ ପରିବାର ଲୋକେ । ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମ୍ବୁଲାନସ ରଖି ଜିଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଥିଲେ । ଜୟନ୍ତୀଙ୍କ ବାପା ହୃଷିକେଶ ବେଜ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାନ୍ଦି କାନ୍ଦି ମ୍ରିୟମାଣ ହୋଇପଡିଥିଲେ । ଏହି ଦୃଶ୍ୟ ଅତି ହୃଦୟ ବିଦାରକ ଥିଲା । ଅପରପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ସନ୍ତୋଷ ପାତ୍ର କହିଛନ୍ତି ଯେ, ଉକ୍ତ ଶିବିରରେ ୨୮ଜଣଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲା । ଏ କ୍ଷେତ୍ରରେ କ’ଣ ହୋଇଛି ତା’ର ଅନୁଧ୍ୟାନ କରାଯିବ । ତେବେ ଭଦ୍ରକ ଟାଉନ ଥାନାରେ ଜୟନ୍ତୀଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ସହିତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ଏଭଳି ତୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଆଜି ମା’ ଡାକ ଡାକିବା ପୂର୍ବରୁ ନିଜ ମାକୁ ହରାଇଛି ଗୋଟେ ଶିଶୁ । ମା’ ଡାକ ଶୁଣିବା ଆଗକୁ ଆଖି ବୁଜିଛି ଗୋଟେ ମା । ତେବେ ସରକାରୀ ସ୍ଵାସ୍ଥ୍ୟସେବାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ । ଏଭଳି ଅଭାନୀୟ ଘଟଣା ଘଟିବା ପଛରେ ଦାୟୀ କିଏ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.