କାଲି ଯାଆଁଳା ପୁଅ ଜନ୍ମ ଦେଲେ ହେଲେ ଆଜି ଆରପାରିକୁ ଚାଲିଗଲେ

ଗୋଟିଏ ଷ୍ଟ୍ରେଚର ଉପରେ ମହିଳାଙ୍କ ମୃତଦେହ ରଖି ମେଡିକାଲ କର୍ମଚାରୀ ଆଣୁଥାନ୍ତି । ତାକୁ ଧରି କାନ୍ଦୁ ଥାନ୍ତି ପରିବାର ଲୋକେ । ତାପରେ ମୃତଦେହଟିକୁ ପରିବାର ବର୍ଗଙ୍କ ଠାରୁ ଛଡ଼ାଇ ନେଲା ଭଳି ଗହଳି ଭିତରୁ କିଛି ଲୋକ ଷ୍ଟ୍ରେଚରକୁ ଟାଣି ଟାଣି ନେଇଗଲେ ଶବ ବ୍ୟବଚ୍ଛେଦ ଗୃହ ଆଡକୁ l ହେଲେ ସେମିତି ଶବ ପଛରେ କାନ୍ଦ ବୋବାଳି ଭିତରେ ଚାଲି ଥାନ୍ତି ପରିବାର ବର୍ଗ l

ଭୁବନେଶ୍ୱର: ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ । ଅସହ୍ୟ ଗରମ ଗୁଳୁଗୁଳି ଭିତରେ ଆମେ ଥିଲୁ କ୍ୟାପିଟାଲ ହସ୍ପିଟାଲ ପରିସରରେ । ଦେଖିଲୁ ଗୋଟିଏ ଜାଗାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l କାନ୍ଦ ବୋବାଳିରେ ଫାଟି ପଡୁଥାଏ ମେଡିକାଲ ପରିସର l ଯୁଆଡେ ଚାହିଁବ ସେଇଠି ଦେଖିବ କିଏ ଆଖି ଲୁହ ପୋଛୁଛି ତ ଆଉ କିଏ ଭୋ ଭୋ ହୋଇ କାନ୍ଦୁଛି । ଯେଉଁ ଦୃଶ୍ୟ ଦେଖି ଆପଣ ବି ନିଜ କୋହକୁ ସମ୍ଭଳି ପାରିବେନି । କାନ୍ଦି କାନ୍ଦି କିଏ କହୁଥାଏ ମାରିଦେଲେ ମୋ ଛୁଆଟାକୁ, ପାଣି ଟିକେ ଦେଲେନି । ଆଉ କିଏ କାନ୍ଦି କାନ୍ଦି କହୁଥାଏ ସେ ଡାକ୍ତର ଉପରେ ଆମ ନିଶ୍ୱାସ ପଡିବ, ସେ ଧ୍ବଂସ ହୋଇଯିବେ l ଆମକୁ ଯେତେକି କଷ୍ଟ ଦେଇଛି ସେତିକି କଷ୍ଟ ସେମାନେ ପାଆନ୍ତୁ l

ଏହି ସମୟରେ ଦେଖାଗଲା ଗୋଟିଏ ଷ୍ଟ୍ରେଚର ଉପରେ ମହିଳାଙ୍କ ମୃତଦେହ ରଖି ମେଡିକାଲ କର୍ମଚାରୀ ଆଣୁଥାନ୍ତି । ତାକୁ ଧରି କାନ୍ଦୁ ଥାନ୍ତି ପରିବାର ଲୋକେ । ତାପରେ ମୃତଦେହଟିକୁ ପରିବାର ବର୍ଗଙ୍କ ଠାରୁ ଛଡ଼ାଇ ନେଲା ଭଳି ଗହଳି ଭିତରୁ କିଛି ଲୋକ ଷ୍ଟ୍ରେଚରକୁ ଟାଣି ଟାଣି ନେଇଗଲେ ଶବ ବ୍ୟବଚ୍ଛେଦ ଗୃହ ଆଡକୁ l ହେଲେ ସେମିତି ଶବ ପଛରେ କାନ୍ଦ ବୋବାଳି ଭିତରେ ଚାଲି ଥାନ୍ତି ପରିବାର ବର୍ଗ l ଆଉ ମୃତକଙ୍କ ପରିବାର ଲୋକେ କହୁ ଥାଆନ୍ତି, ଶୁଣୁଛ ଭାଇ ଏମାନେ ଆମ ଝିଅଟିକୁ ମାରିଦେଲେ l କଣ ଇଞ୍ଜେକ୍ସନ ଦେଲେ ଯେ ରାତି ସକାଳ ହେଲା ବେଳକୁ ମା’ ଦୁଇଟି ଯାଆଁଳା ପୁଅ ଜନ୍ମ କରି ସବୁଦିନ ପାଇଁ ଆଖି ବୁଜିଦେଲା l କେମିତି ମୁତ୍ୟୁ ଘଟିଲା ପଚାରିଲା ବେଳକୁ ଆମକୁ କେହି କିଛି ଠିକଣା ଭାବରେ କହୁ ନାହାନ୍ତି ।

ମୃତ ମହିଳା ଜଣକ ହେଉଛନ୍ତି ଶୁଭଲକ୍ଷ୍ମୀ l ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡା ଗାଁରେ ତାଙ୍କ ଘର l ଶୁଭଲକ୍ଷ୍ମୀଙ୍କୁ ସମସ୍ତେ ଶ୍ରଦ୍ଧାରେ ସୁଧା ବୋଲି ଡାକନ୍ତି । ସେ ଦୁଇ ବର୍ଷ ତଳେ ଅନ୍ଧାରୁଆର ସୌମ୍ୟ ରଞ୍ଜନଙ୍କୁ ବିବାହ କରିଥିଲେ l ସୌମ୍ୟରଞ୍ଜନ ଗତ ୧୬ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲ ରେ ସ୍ତ୍ରୀ ସୁଧାକୁ ଆଡମିଟ୍ କରିଥିଲେ । କାହିଁକି ନା ସୁଧାଙ୍କର ଗର୍ଭ ଯନ୍ତ୍ରଣା ହେଉଥିଲା ।
ତେବେ ଗତକାଲି ଦୁଇଟି ଯାଆଁଳା ପୁଅଙ୍କୁ ଜନ୍ମ ଦେଇଥିଲେ ସୁଧା ହେଲେ ଆଜି ସକାଳେ ଆରପାରିକୁ ଚାଲିଗଲେ l ପରିବାର ଲୋକଙ୍କ କହିବା କଥା, କାଲି ସୁଧା ଭଲ ଥିଲେ ଆଜି କେମିତି ଚାଲିଗଲେ । ଏହାକୁ ନେଇ ମେଡିକାଲ କତୃପକ୍ଷଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ l କ୍ୟାପିଟାଲ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି l ଆଉ ନ୍ୟାୟ ପାଇଁ ଅଡି ବସିଛନ୍ତି । ତେଣେ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସାରେ କୌଣସି ତ୍ରୁଟି କରିନଥିବା କହିଛନ୍ତି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ପରେ ଯାଇ ସେଠାରେ ଉତ୍ତେଜନା ଥମିଥିଲା ।

ସୁଧାଙ୍କ ମୃତ୍ୟୁର କାରଣ ଯାହା ହେଉ ନା କାହିଁକି ଏବେ ଚିନ୍ତା ହେଉଛି ଏହି ଯାଆଁଳା ପୁଅଙ୍କର । ଜନ୍ମ ହେଉ ହେଉ ମା ଚାଲିଗଲା । ମା ଛେଉଣ୍ଡ ନବଜାତ ଶିଶୁ ପୁତ୍ର ଦୁଇଙ୍କୁ ଲାଳନ ପାଳନ କିଏ କରିବ ? ମୃତକ ପାଇଁ କ୍ଷତି ପୂରଣ ଦାବି କରିଥିଲେ ପରିବାର ଲୋକ । ସେଥିଲାଗି ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା l ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ ଚିକିତ୍ସା ଅବହେଳାକୁ ଅସ୍ୱୀକାର କରିଛନ୍ତି । ଅବଶ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.